ନୂଆଦିଲ୍ଲୀ: ଗତ ମାସରେ ଅହମ୍ମଦାବାଦରେ ଘଟିଥିବା ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ ଯାଞ୍ଚ ପୂରା ହୋଇଛି । ଏୟାର ଇଣ୍ଡିଆ ନିଜର ବୋଇଙ୍ଗ ୭୮୭ ବିମାନର ନିରୀକ୍ଷଣ ବୁଧବାର ସାରିଛି । ଏୟାର ଇଣ୍ଡିଆ ଜଣାଇଛି ଯେ, ବିମାନରେ ଫୁଏଲ କଣ୍ଟ୍ରୋଲ ସୁଇଚକୁ ଲକ୍ କରିବାର ସିଷ୍ଟମରେ କୌଣସି ସମସ୍ୟା ନ ଥିଲା । ଏୟାରଲାଇନ କମ୍ପାନି ପକ୍ଷରୁ ଜଣେ ଅଧିକାରୀ ଏହାର ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଡିଜିସିଏ ସୋମବାର ଏୟାରଲାଇନ କମ୍ପାନିଗୁଡିକୁ ବୋଇଙ୍ଗ ୭୮୭ ଓ ୭୩୭ ବିମାନରେ ଫୁଏଲ ସୁଇଚ ଲକିଂ ସିଷ୍ଟମର ଯାଞ୍ଚ କରିବାକୁ କହିଥିଲା । ଅନ୍ୟପକ୍ଷେ ଏଏଆଇବିର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଏହା ଜଣା ପଡିଥିଲା ଯେ, ଗତ ମାସରେ କ୍ରାଶ ହେବା ପୂର୍ବରୁ ଏୟାର ଇଣ୍ଡିଆ ବିମାନରେ ଫୁଏଲ ସୁଇଚ ବନ୍ଦ ହୋଇ ଯାଇଥିଲା । ଫୁଏଲ ସୁଇଚକୁ ନେଇ ଗତ କିଛି ଦିନ ହେବ ଅନେକ ଖବର ପ୍ରକାଶ ପାଇ ସାରିଛି ।
ଏୟାର ଇଣ୍ଡିଆର ଅଧିକାରୀ ପାଇଲଟକୁ ପଠାଇଥିବା ଏକ ଅନ୍ତରୀଣ ସନ୍ଦେଶ ବିଷୟରେ କହିଛନ୍ତି ଯେ, ଆମର ଇଞ୍ଜିନିୟରିଂ ଟିମ ଆମର ସମସ୍ତ ବୋଇଙ୍ଗ ୭୮୭ ବିମାନର ଫୁଏଲ କଣ୍ଟ୍ରୋଲ ସୁଇଚକୁ ଲକ୍ କରିବାର ସିଷ୍ଟମର ସତର୍କତାମୂଳକ ନିରୀକ୍ଷଣ ଆରମ୍ଭ କରିଥିଲେ । ଏହାର ନିରୀକ୍ଷଣ ପୂରା ହୋଇଛି ଏବଂ ଏଥିରେ କୌଣସି ସମସ୍ୟା ନାହିଁ । ଅଧିକାରୀ ଏହା ମଧ୍ୟ ଜଣାଇଥିଲେ ଯେ, ସମସ୍ତ ବୋଇଙ୍ଗ ୭୮୭-୮ ବିମାନରେ ଥ୍ରଟଲ କଣ୍ଟ୍ରୋଲ ମୋଡ୍ୟୁଲ ଆପଣା ଯାଇଛି । ଫୁଏଲ କଣ୍ଟ୍ରୋଲ ସୁଇଚ ଏହି ମୋଡ୍ୟୁଲର ଅଂଶ ବିଶେଷ । ଉଲ୍ଲେଖନୀୟ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ଘଟିଥିଲା ।
ଏହା ପୂର୍ବରୁ ବିମାନ ଦୁର୍ଘଟଣା ଅନ୍ୱେଷଣ ବ୍ୟୁରୋ(ଏଏଆଇବି) ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ ବିମାନର ଦୁର୍ଘଟଣା ଉପରେ ଶନିବାର ନିଜର ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଦେଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ର ଦୁଇଟି ଇଞ୍ଜିନକୁ ଫୁଏଲ ପହଞ୍ଚାଉଥିବା ସୁଇଚ ବିମାନ ଉଡାଣ ଭରିବାର କିଛି ସେକେଣ୍ଡରେ ବନ୍ଦ ହୋଇ ଯାଇଥିଲା । ଯାହା ଫଳରେ ବିମାନଟି ଆଖି ପିଛୁଳାକେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।