ଆଜି ପବିତ୍ର ରାମନବମୀ। ସାରା ଦେଶରେ ଆଜି ରାମନବମୀ ପର୍ବ ବେଶ ଧୁମଧାମରେ ପାଳନ କରାଯାଉଛି । ସାରା ଦେଶ ସହ ଅଯୋଧ୍ୟା ରାମ ମନ୍ଦିରରେ ଉତ୍ସାହର ସହ ପାଳନ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । କାହିଁ କେବେଠାରୁ ଅପେକ୍ଷା ଥିଲା ଆଜିର ଦିନକୁ । ଦୀର୍ଘ ୫ ଶହ ବର୍ଷର ଅପେକ୍ଷା ପରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମ ନବମୀ ।
ସବୁ ଅପେକ୍ଷାର ଅନ୍ତ ହୋଇଛି ରାମ ଲାଲାଙ୍କ ମସ୍ତକରେ ଅଭିଷେକ ହୋଇଛି ସୂର୍ଯ୍ୟ ତିଳକ । ଗର୍ଭଗୃହରେ ବିରାଜିତ ରାମ ଲାଲାଙ୍କୁ ମସ୍ତକରେରେ ସୂର୍ଯ୍ୟଙ୍କ କିରଣ ପକାଇ କରାଯାଇଛି ଦିବ୍ୟ ସୂର୍ଯ୍ୟ ତିଳକ ।ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ ଦେଖିବାକୁ ମିଳିଛି ଭବ୍ୟ ଶ୍ରୀରାମ ମନ୍ଦିରରେ । ଦିନ ୧୧ଟା ୫୮ ମିନିଟରୁ ମଧ୍ୟାହ୍ନ ୧୨ଟା ୩ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ତିଳକରେ ଝଟକିଲା ରାମଲାଲାଙ୍କ ଲଲାଟ ପଟକ । ଗର୍ଭ ଗୃହରେ ଦିବ୍ୟ ରୂପରେ ଝଲସିଛନ୍ତି ରାମଲାଲା । ଶ୍ରୀବିଗ୍ରହଙ୍କ ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ ସୂର୍ଯ୍ୟଙ୍କ କିରଣରେ ଚମକି ଉଠିଥିଲା । ପ୍ରଭୁ ରାମଲାଲାଙ୍କ ଏହି ସୂର୍ଯ୍ୟ ତିଳକ ଦେଖିବାକୁ ରାମନବମୀ ଅବସରରେ ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି ।ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ଦୃଶ୍ୟମାନ ହେଲା ପରେ ଭାବ ଭକ୍ତିମୟ ହୋଇଥିଲା ପୁରା ପରିବେଶ। ଅପେକ୍ଷା ଥିଲା ଆଜିର ଦିନକୁ ।ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପାଲଟିଛି । ପ୍ରଥମ ଥର ପ୍ରଭୁ ରାମଙ୍କର ୫ ବର୍ଷର ବାଳକ ସ୍ୱରୂପ ରାମଲାଲାଙ୍କ ମଥାରେ ସୂର୍ଯ୍ୟ ତିଳକ ଶୋଭାପାଇଛି ।