ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କର୍ତ୍ତୃପକ୍ଷ ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସରକାରୀ ବସଭବନ ଖାଲି କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ପୂର୍ବତନ ସିଜେଆଇ ଅବସର ନେବା ପରେ ଏହି ବଙ୍ଗଳାରେ ରହୁଛନ୍ତି । ଡିୱାଇ ଚନ୍ଦ୍ରଚୂଡଙ୍କୁ ଯେତେ ସମୟ ରହିବା ପାଇଁ ଅନୁମତି ଦିଆଯାଇଥିଲା, ତାହାର ଅବଧି ପୂରା ହୋଇ ସାରିଛି । ବଙ୍ଗଳା କାଲି କରାଇ ଏହାକୁ କୋର୍ଟର ହାଉସିଂ ପୁଲକୁ ଫେରାଇବାକୁ କୁହାଯାଇଛି ।
ସୁପ୍ରିମକୋର୍ଟ ଏହି ଚିଠି ଜୁଲାଇ ୧ରେ ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟକୁ ପଠାଇଥିଲେ । ଏଥିରେ ଦାବି କରାଯାଇଥିଲା ଯେ, ଲୁଟିୟନ୍ସ ଦିଲ୍ଲୀର କୃଷ୍ଣ ମେନନ ମାର୍ଗରେ ସ୍ଥିତ ବଙ୍ଗଳା ନମ୍ବର ୫କୁ ତତ୍କାଳ ଖାଲି କରାଯାଉ । ଏହି ବାସଭବନ ଆନୁଷ୍ଠାନିକ ଭାବେ ସୁପ୍ରିମକୋର୍ଟର ବର୍ତ୍ତମାନର ସିଜେଆଇଙ୍କ ବାସଭବନ । ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ, ବିନା କୌଣସି ବିଳମ୍ବ ନ କରି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ବଙ୍ଗଳା ଖାଲି କରାଯାଉ ।
ଉଲ୍ଲେଖନୀୟ ଏହି ସରକାରୀ ବାସଭବନରେ ରହିବାର ସମୟ ସୀମା ୨୦୨୫ ମେ ୨୧ ତାରିଖ ସମାପ୍ତ ହୋଇ ସାରିଛି । ଏହା ବ୍ୟତୀତ ୨୦୨୨ ନିୟମର ୩ବି ଆଧାରରେ ପ୍ରଦାନ କରାଯାଇଥିବା ଛଅ ମାସର ଅବଧି ଚଳିତ ବର୍ଷ ମେ ୧୦ ତାରିଖରେ ସମାପ୍ତ ହୋଇ ସାରିଛି । ତେଣୁ ଚନ୍ଦ୍ରଚୂଡଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଉ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଜଷ୍ଟିସ ଚନ୍ଦ୍ରଚୂଡ ୨୦୨୨ ନଭେମ୍ବରରୁ ୨୦୨୪ ନଭେମ୍ବର ପର୍ଯ୍ୟନ୍ତ ଦେଶର ୫୦ତମ ପ୍ରଧାନ ବିଚାରପତି ରହିଥିଲେ । କାର୍ଯ୍ୟକାଳ ସମାପ୍ତ ହେବାର ପ୍ରାୟ ଆଠ ମାସ ପରେ ବି ସେ ଉକ୍ତ ବଙ୍ଗଳାରେ ରହି ଆସୁଛନ୍ତି । ତାଙ୍କ ପରେ ପ୍ରଧାନ ବିଚାରପତି ହୋଇଥିବା ଜଷ୍ଟିସ ସଞ୍ଜୀବ ଖନ୍ନା ଓ ବର୍ତ୍ତମାନର ସିଜେଆଇ ଜଷ୍ଟିସ ବିଆର ଗବାଇ ମଧ୍ୟ ଏହି ବାସଭବନକୁ ଯାଇ ନାହାନ୍ତି । ଏହି ଦୁଇ ସିଜେଆଇ ପୂର୍ବରୁ ଆବଣ୍ଟିତ ନିଜ ବଙ୍ଗଳାରେ ରହିଛନ୍ତି ।
ଏହି ମାମଲାରେ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ବ୍ୟକ୍ତିଗତ ପରିସ୍ଥିତି କାରଣରୁ ଏହି ବଙ୍ଗଳା ଖାଲି କରି ପାରିନି । ସୁପ୍ରିମକୋର୍ଟ ପ୍ରଶାସନ ମଧ୍ୟ ଏହି ବିଷୟରେ ସଂପୂର୍ଣ୍ଣ ଅବଗତ ଅଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପୂର୍ବରୁ ସରକାରଙ୍କ ଦ୍ୱାରା ସୀମିତ ସମୟ ପାଇଁ ଏକ ଭଡା ଘର ଆବଣ୍ଟିତ କରାଯାଇଥିଲା । ମାତ୍ର ଉକ୍ତ ଘର ଦୀର୍ଘ ସମୟ ଧରି ବ୍ୟବହାର ହୋଇ ନ ଥିବାରୁ ତାହା ରହିବା ଯୋଗ୍ୟ ନ ଥିଲା । ତେଣୁ ଏହାକୁ ରହିବା ଯୋଗ୍ୟ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଛି ।