ନୂଆଦିଲ୍ଲୀ: କଂଗ୍ରେସ ସହ ଖରାପ ସଂପର୍କ ଦେଇ ଗତି କରୁଥିବା ଶଶି ଥରୁର ଲଗାତାର ତୃତୟ ଥର ପାର୍ଟି ମିଟିଂରେ ଯୋଗ ଦେଇ ନାହାନ୍ତି । ଶୁକ୍ରବାର କଂଗ୍ରେସର ଲୋକସଭା ସାଂସଦଙ୍କ ବୈଠକ ଥିଲା, ଯେଉଁଥିରେ ଥରୁର ସାମିଲ୍ ହୋଇ ନାହାନ୍ତି । ଅନ୍ୟପଟେ ଥରୁର ଅନେକ ଥର ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ତାଙ୍କୁ ନେଇ କଂଗ୍ରେସକୁ ଅନେକ ଥର ଅସ୍ୱାଭାବିକ ସ୍ଥିତିର ସାମ୍ନା କରିବାକୁ ପଡିଛି ।
ଏମିତିରେ ଲଗାତାର ଦଳ ବୈଠକରେ ଥରୁର ଯୋଗ ନ ଦେବା ନେଇ ତାଙ୍କର ପାର୍ଟି ଛାଡିବାର ଆଶଙ୍କାକୁ ଆହୁରି ଦୃଢିଭୂତ କରୁଛି । ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧୯ରେ ସରିବାକୁ ଯାଉଛି । ଏହା ପୂର୍ବରୁ ରାହୁଲ ଗାନ୍ଧୀ ସମସ୍ତ ୯୯ ଲୋକସଭା ସାଂସଦଙ୍କ ବୈଠକ ଡକାଇଥିଲେ ।
ଏହି ବୈଠକରେ ଏହା ସ୍ଥିର ହେବାର ଥିଲା ଯେ, କେମିତି ଶୀତକାଳୀନ ଅଧିବେଶନର ଆଗାମୀ ଦିନରେ ଶାସକ ଦଳକୁ ଘେରାଯିବ । କିନ୍ତୁ ଏହି ମିଟିଂରେ ଶଶି ଥରୁର ଯୋଗ ଦେଇ ନାହାନ୍ତି । ଏହା ମଧ୍ୟରେ ଥରୁର ଗୁରୁବାର ଏକ୍ସରେ ସୂଚନା ଦେଇଥିଲେ ଯେ, ସେ କୋଲକାତାରେ ଅଛନ୍ତି । ସେ ଲେଖିଥିଲେ, ମୋର ଘନିଷ୍ଠ ସହଯୋଗୀ ଜନ କୋଶିଙ୍କ କୋଲକାତାରେ ବିବାହ କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ମୋର ଭଉଣୀ ସ୍ମିତା ଥରୁରଙ୍କ ଜନ୍ମଦିନ ମଧ୍ୟ । ପୁଣି ଏକ ଆୟୋଜନରେ ବି ଯୋଗ ଦେବାର ଅଛି । ଅନ୍ୟପଟେ କଂଗ୍ରେସର ଏହି ବୈଠକରେ ସାଂସଦ ମନୀଷ ତିୱାରୀ ମଧ୍ୟ ସାମିଲ୍ ହୋଇ ନାହାନ୍ତି । ତାଙ୍କୁ ନେଇ ମଧ୍ୟ ଦଳରେ ସର୍ବଦା ଚର୍ଚ୍ଚା ହୋଇ ଆସିଛି ।
ଏହା ପୂର୍ବରୁ ନଭେମ୍ବରରେ ହୋଇଥିବା ଦୁଇଟି ବୈଠକରେ ଥରୁର ଯୋଗ ଦେଇ ନ ଥିଲେ । ଗୋଟିଏ ବୈଠକ ନଭେମ୍ବର ୩୦ରେ ଥିଲା, ଯାହାର ଆୟୋଜନ ସୋନିଆ ଗାନ୍ଧୀ କରିଥିଲେ । ଏହା ଉପରେ ଥରୁର କହିଥିଲେ ଯେ, ମୁଁ ମିଟିଂ ଛାଡି ନ ଥିଲି ବରଂ ପହଞ୍ଚି ପାରି ନ ଥିଲି । ମୁଁ କେରଳରୁ ଦିଲ୍ଲୀ ଫେରୁଥିଲି ଏବଂ ବିମାନରେ ଥିଲି । ତେବେ ଗୋଟିଏ କଥା ସ୍ପଷ୍ଟ ଯେ, କଂଗ୍ରେସ ଓ ଥରୁରଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି ।
Also read: ମୁନିର ଆପଣଙ୍କୁ ଠକୁଛନ୍ତି, ଏଫ-୧୬ ବିମାନରେ ବେଲୁଚିସ୍ତାନ ଉପରେ ବୋମା ପକାଇବେ...