ନୂଆଦିଲ୍ଲୀ: ତାମିଲ ଫିଲ୍ମ ଉଦ୍ୟୋଗର ପ୍ରସିଦ୍ଧ ଅଭିନେତ୍ରୀ ତଥା ଆଇପିଏସ୍ ଅଧିକାରୀଙ୍କ ଝିଅ ରାନ୍ୟା ରାଓ ସୁନା ଚୋରା ଚାଲାଣ ମାମଲାରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ସେ ସୁନା ତସ୍କରି କେମିତି କରାଯାଏ ଏବଂ ଏହାକୁ ଲୁଚାଇବାର କୌଶଳ ୟୁଟ୍ୟୁବରୁ ଶିଖିଥିବା ଜେରା ସମୟରେ ତଦନ୍ତକାରୀ ଅଧିକାରୀଙ୍କୁ ଏହା କହିଛନ୍ତି ରାନ୍ୟା ରାଓ ।
କିଛି ବିଦେଶୀ ସୁନା ମାଫିଆଙ୍କ ସହ ମିଶି ସୁନାର ଚୋରା ଚାଲାଣରେ ରାନ୍ୟା ଲିପ୍ତ ଥିଲେ । ସେ ସୁନା କେମିତ ଲୁଚାଯାଇ ଅଣାଯାଏ ତାର ବିଭିନ୍ନ କୌଶଳ ୟୁଟ୍ୟୁବରୁ ଶିଖିଛନ୍ତି । ତେବେ ସେ ଏହି କାର୍ଯ୍ୟକଳାପରେ ଅଜଣାତରେ ସାମିଲ ଥିବା ରାନ୍ୟା କହିଛନ୍ତି । ଏକ ସ୍ୱତନ୍ତ୍ର ଅଦାଲତଙ୍କ ଆଦେଶକ୍ରମେ ରାନ୍ୟା ରାଓ ବର୍ତ୍ତମାନ ରାଜସ୍ୱ ଗୁଇନ୍ଦା ନିିର୍ଦ୍ଦେଶାଳୟ(ଡିଆରଆଇ)ର ରିମାଣ୍ଡରେ ଅଛନ୍ତି । ଏହି ସମୟରେ ତାଙ୍କୁ ଜେରା କରାଯାଉଛି ।
ସୂଚନାଯୋଗ୍ୟ, ବେଙ୍ଗାଲୁରୁ ସ୍ଥିତ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମିଳିଥିବା ସୁନା ବ୍ୟତୀତ ତାଙ୍କ ଘରୁ ମଧ୍ୟ ବିପୁଳ ମାତ୍ରାରେ ସୁନା ଓ ନଗଦ ଜବତ ହୋଇଛି । କୁହାଯାଉଛି ସେ, ୧୫ ଦିନରେ ଚାରି ଥର ଦୁବାଇ ଯାତ୍ରା କରି ସାରିଛନ୍ତି । ଏହା ଜରିଆରେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ।
ଅଧିକାରୀଙ୍କୁ ଅଭିନେତ୍ରୀଙ୍କଠୁ ୧୪.୨ କିଲୋଗ୍ରାମ ସୁନା ମିଳିଛି, ଯାହାର ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ । ତାଙ୍କ ପୋଷାକରେ ସୁନା ଛପି ହୋଇ ରହିଥିବା ଅଧିକାରୀ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ । ସେ ବାରମ୍ବାର ନିଜ ସ୍ୱାମୀ ଜତିନ ହୁକ୍କେରୀଙ୍କ ସହ ଅନ୍ତର୍ଜାତୀୟ ଯାତ୍ରା କରିବା କାରଣରୁ ଏଜେନ୍ସିର ରାଡାରକୁ ଆସିଥିଲେ । ରାଓ କଥିତ ଭାବେ ଜଙ୍ଘ, ଅଣ୍ଟା ସମେତ ଶରୀରର ଅନେକ ଭାଗରେ ସୁନା ଲୁଚାଇ ଆଣୁଥିଲେ ।
ଏପରିକି ସେ ସୁନାଗୁଡିକୁ କପଡାରେ ବି ଲୁଚାଇ ଆଣୁଥିଲେ । ସେ ଅନେକ ଥର ପୋଲିସ ଏସକର୍ଟ ସାହାଯ୍ୟରେ ଏୟାରପୋର୍ଟରେ ସିକ୍ୟୁରିଟି ଯାଞ୍ଚରୁ ବର୍ତ୍ତି ଯାଇଛନ୍ତି । ସୋମବାର ମଧ୍ୟ ସେ ଜଣେ ପୋଲିସ କନଷ୍ଟେବଳଙ୍କ ସହିତ ଏହିପରି କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେହି ସମୟରେ ଡିଆରଆଇ ତାଙ୍କୁ ସୁନା ସହ ଧରିଥିଲେ । ଗିରଫ କରିବା ପରେ ତାଙ୍କୁ ନାଗବାରା ସ୍ଥିତ ଡିଆରଆଇ କାର୍ୟ୍ୟାଳୟ ଅଣାଯାଇ ଜେରା କରାଯାଇଥିଲା । ପୁଣି କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେଇ ଡିଆରଆଇ ଅଧିକାରୀ ଜେରା କରୁଛନ୍ତି ।