ରାମପୁର: ଉତ୍ତରପ୍ରଦେଶର ଲକ୍ଷ୍ନୌ-ଦିଲ୍ଲୀ ଜାତୀୟ ରାଜପଥରେ ସୋମବାର ସକାଳୁ ୨ଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ହୋଇଛନ୍ତି। ରାମପୁର ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଚାଳକଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪୯ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରାବଣ ମାସ ପାଇଁ ଗୋଟିଏ ପାର୍ଶ୍ବରେ ଯାନବାହନ ଚଳାଚଳ କରୁଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ପୁଲିସ କହିଛି ଯେ, ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସାହିବାବାଦ୍ ଡିପୋର ଜନରଥ ବସ୍ ହରିଦ୍ବାରରୁ ଶ୍ରାବସ୍ତୀ ଅଭିମୁଖେ ଯାଉଥିବା ଘରୋଇ ଭୋଲଭୋ ବସ୍ ସହିତ ମୁହାଁମୁହିଁ ହୋଇଛି। ୨ଟି ବସ୍କୁ ବହୁ କ୍ଷତି ହୋଇଛି। ସୂଚନା ମିଳିବା ପରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଥିଲା ଏବଂ ଆହତମାନଙ୍କୁ ଉଦ୍ଧାର କରି ସରକାରୀ ଡାକ୍ତରଖାନାକୁ ନେଇଥିଲା।
ବହୁ ସଂଖ୍ୟାରେ ଆହତମାନଙ୍କୁ ଦେଖି ହସ୍ପିଟାଲ କର୍ମଚାରୀ ଓ ଡାକ୍ତରଙ୍କ ଚିନ୍ତା ବଢ଼ିଯାଇଛି। ହସ୍ପିଟାଲ ପରିସରର ଚଟାଣରେ ଗଡ଼ି ଆହତମାନେ ଘଟଣା ସଂପର୍କରେ କହୁଛନ୍ତି। ହସ୍ପିଟାଲର ଚାରିଆନେ ଆହତମାନେ ପଡ଼ିଥିବା ଦେଖାଯାଉଛି। ଆହତମାନଙ୍କ ଠାରୁ ୧୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।