କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ହଙ୍ଗାମା ଥମିବାର ନାଁ ନେଉନି । ହସ୍ପିଟାଲ ବାହାରେ ଜୁନିୟର ଡାକ୍ତରଙ୍କ ଅନଶନ ଜାରି ରହିଛି । ଏବେ ତାଙ୍କ ସମର୍ଥନରେ ମଙ୍ଗଳବାର ୫୦ ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି । ଅଗଷ୍ଟ ମାସରେ ହସ୍ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କର ଦୁଷ୍କର୍ମ ଓ ହତ୍ୟା ହୋଇଥିଲା। ଏହାକୁ ବିରୋଧ କରି ଜୁନିୟର ଡାକ୍ତର ଆନ୍ଦୋଳନ କରୁଥିବା ବେଳେ ଏବେ ସେମାନଙ୍କୁ ସିନିୟର ଡାକ୍ତରଙ୍କ ସମର୍ଥନ ମିଳିଛି।
ଇସ୍ତଫା ଦେବା ଦେଇଥିବା ବରିଷ୍ଠ ଡାକ୍ତରମାନେ କହିଛନ୍ତି ଯେ କନିଷ୍ଠ ଡାକ୍ତରମାନଙ୍କୁ ଦିଆଯାଇଥିଲା ପ୍ରତିଶ୍ରୁତି ପୂରଣ କରାଯାଇ ନାହିଁ। ଟ୍ରେନୀ ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଆଗେଇ ।ନହିଁ। ନ୍ୟାୟ ପାଇଁ ଆମରଣ ଅନଶନ କରୁଥିବା ଜୁନିୟର ଡାକ୍ତରମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟୁଛି। ଆନ୍ଦୋଳନରତ ଡାକ୍ତରମାନଙ୍କ ସହିତ ପୁନଃ ଆଲୋଚନା କରାଯାଉ ବୋଲି ବରିଷ୍ଠ ଡାକ୍ତରମାନେ ହସପିଟାଲ କର୍ତ୍ତୃପକ୍ଷଙ୍କ ସାମ୍ନାରେ ଦାବି ରଖିଛନ୍ତି।
ଏନେଇ ଡାକ୍ତରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି \"ଆମେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ସମୂଷ ଇସ୍ତଫା ଦେଉଛୁ। କାରଣ ଆନ୍ଦୋଳନ କରି ଭୋକ ଉପାସରେ ଡାକ୍ତରଙ୍କ ଅବସ୍ଥା ଖରାପ ହେବାରେ ସରକାର ଅବହେଳା କରୁଥିବା ଜଣାପଡିଛି। ଏବଂ ଯଦି ଆବଶ୍ୟକ ହୁଏ ତେବେ ଆମେ ମଧ୍ୟ ବ୍ୟକ୍ତିଗତ ଇସ୍ତଫା ଦେବୁ।\"
ଗତ ଶନିବାରଠାରୁ ଜୁନିୟର ଡାକ୍ତରମାନେ ବିଭିନ୍ନ ଦାବି ନେଇ ଆମରଣ ଅନଶନରେ ବସିଛନ୍ତି। ସେମାନଙ୍କ ସହକର୍ମୀଙ୍କୁ ନ୍ୟାୟ ପ୍ରଦାନ, କ୍ୟାମ୍ପସରେ ଗଣତନ୍ତ୍ର ସ୍ଥାପନ ଓ ରୋଗୀ ଅନୁକୂଳ ବାତାବରଣ ବ୍ୟବସ୍ଥା ତିଆରି କରିବା ଦାବିରେ ଆନ୍ଦୋଳନ କରୁଛନ୍ତି। ରାଜ୍ୟର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ ଏକ ସେଣ୍ଟ୍ରାଲାଇଜ୍ଡ ରେଫରାଲ ସିଷ୍ଟମ ବିକଶିତ କରିବାକୁ ସେମାନେ ଦାବି କରିଛନ୍ତି।
ଆର୍ଜି କର ହସ୍ପିଟାଲର ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ଅନ୍ୟ ଡାକ୍ତର ସଂଘ ‘ଜଏଣ୍ଟ ପ୍ଲାଟଫର୍ମ ଅପ୍ ଡକ୍ଟର(ଜେପିଡି)’ ସମର୍ଥନ ଜଣାଇଛନ୍ତି। ଜେପିଡି ଯୁଗ୍ମ ସଂଯୋଜକ ଡ. ପୂଣ୍ୟବ୍ରତ ଗୁନ ଓ ହିରାଲାଲ କୋନାର କହିଛନ୍ତି ବରିଷ୍ଠ ସରକାରୀ ଡାକ୍ତର ହୁଅନ୍ତୁ କିମ୍ବା ଅତିଥି ଡାକ୍ତର ଅଭୟାଙ୍କ ପାଇଁ ନ୍ୟାୟ ମାମଲାରେ ସମୁହ ଇସ୍ତଫା ଦେବାକୁ ଇଛା ପ୍ରକାଶ କଲେଣି।