ଚୀନର ହାଙ୍ଗଜୋରେ ହୋଇଥିବା ଏସିଆନ୍ ଗେମସରେ ଖେଳି ମେଡାଲ ଜିତିଥିବା ଭାରତୀୟ ଖେଳାଳିଙ୍କୁ ଆଜି ଅପରାହ୍ଣରେ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ରୀଡ଼ାବିତଙ୍କୁ ଭେଟି କଥାବାର୍ତ୍ତା ହେବା ସହିତ ମୋଦି ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ । ଏହାପୂର୍ବରୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଭାରତୀୟ ହକି ଦଳ ଓ ତା'ସହ ଅନ୍ୟାନ୍ୟ ଖେଳାଳି। ଏସିଆନ ଗେମସରେ ଏଥର ଅଧିକ ସଂଖ୍ୟକ ମେଡାଲ ହାସଲ କରି ପୁରୁଣା ରେକର୍ଡକୁ ଭାଙ୍ଗିଛି ଭାରତ। ପ୍ରଥମ ଥର ପାଇଁ ଶହେ ପାର୍ କରିଛି ମେଡାଲ ସଂଖ୍ୟା । ୨୮ଟି ସ୍ୱର୍ଣ୍ଣ , ୩୮ଟି ରୌପ୍ୟ ଏବଂ ୪୧ଟି ବ୍ରୋଞ୍ଜ ସହିତ ମୋଟ ୧୦୭ଟି ପଦକ ପାଇ ତାଲିକାର ଚତୁର୍ଥ ସ୍ଥାନରେ ଅଧିଗ୍ରହଣ କରିଛି ଭାରତ । ସେହିଭଳି ଚୀନ ୨୦୧ଟି ସ୍ୱର୍ଣ୍ଣ, ୧୧୧ଟି ରୌପ୍ୟ ଓ ୭୧ ବ୍ରୋଞ୍ଚ ସହିତ ୩୮୩ଟି ମେଡାଲ ପାଇଛି ।
ଏସୀୟ ଗେମ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଭାରତୀୟ ଆଥଲେଟଙ୍କୁ ଭେଟି ତାଙ୍କ ସହ ଯୋଗାଯୋଗ କରିବା ସହିତ ତାଙ୍କୁ ସମ୍ବୋଧିତ କରିବେ ମୋଦି । ତାଙ୍କ ସହ କଥାବାର୍ତ୍ତା ହୋଇ ଖେଳାଳିଙ୍କ ଦମ୍ଭ ବଢ଼ାଇବେ ପ୍ରଧାନମନ୍ତ୍ରୀ । ବିଗତ ଏସିଆନ୍ ଗେମ୍ସରେ ଭାରତ କେବେ ବି ଏତେ ସଂଖ୍ୟାରେ ପଦକ ହାସଲ କରି ନଥିଲା । ହାଙ୍ଗଜୋରେ ଚାଲିଥିବା ଏସିଆନ୍ ଗେମ୍ସରେ ଭାରତୀୟ ଆଥଲେଟମାନେ ମୋଟ ୧୦୭ଟି ପଦକ ଜିତି ୨୦୧୮ ଜାକର୍ତ୍ତା ସଂସ୍କରଣରେ ଥିବା ସେମାନଙ୍କର ପୂର୍ବ ରେକର୍ଡ ୭୦କୁ ଅତିକ୍ରମ କରିଛନ୍ତି। ଭାରତ ପାଇଁ ଗୋଲଡେନ୍ ଡେ ଥିଲା ପ୍ରତିଯୋଗିତାର ଶେଷ ଦିନ । ମୋଟ୍ ୬ଟି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ଭାରତୀୟ ଖେଳାଳି । ତୀରନ୍ଦାଜୀ କମ୍ପାଉଣ୍ଡ ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ଶକ୍ତିଶାଳୀ କୋରିଆକୁ ହରାଇ ଗୋଲଡ ମେଡାଲ ଜିତିଥିଲେ ଭାରତର ଜ୍ୟୋତି । ଏହି ଇଭେଣ୍ଟରେ ୧୭ ବର୍ଷୀୟା ଅଦିତି ସ୍ୱାମୀ ବ୍ରୋଞ୍ଜ ହାସଲ କରିଥିଲେ । ସେହିପରି କମ୍ପାଉଣ୍ଡର ପୁରୁଷ ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲରେ ମୁକାବିଲା ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ । ତେବେ ଏଥିରେ ଯୁବ ତୀରନ୍ଦାଜ ଓଯାସ ପ୍ରବୀଣ ଦେଓତଲେ ଅଭିଷେକ ବର୍ମାଙ୍କୁ ହରାଇ ସ୍ୱର୍ଣ୍ଣପଦକ ହାତେଇଥିଲେ। ଏହାପରେ ମହିଳା କବାଡିରେ ଭାରତୀୟ ଦଳ ଏକ ରୋମାଞ୍ଚକର ମୁକାବିଲାରେ ଚାଇନିଜ୍ ତାଇପେକୁ ହରାଇ ଦେଶ ଲାଗି ୧୦୦ତମ ମେଡାଲ ଜିତିଥିଲେ ।
ତେବେ ଏହି କାର୍ଯ୍ୟକ୍ରମ ଦ୍ୱାରା ଏସିଆନ୍ ଗେମ୍ସରେ ସଫଳତା ପାଇଥିବା ଭାରତୀୟ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏକ ଉଦ୍ୟମ ବୋଲି ଏକ ବିବୃତ୍ତିରେ ପ୍ରକାଶ ପାଇଛି । ୧୦୭ ପଦକ ମଧ୍ୟରୁ ଭାରତ ୨୮ଟି ସ୍ୱର୍ଣ୍ଣ ପଦକ, ୩୮ଟି ରୌପ୍ୟ ପଦକ ଏବଂ ୪୧ଟି ବ୍ରୋଞ୍ଜ ପଦକ ଜିତି ଦେଶର ଗୌରବ ବଢ଼ାଇଛନ୍ତି ଭାରତୀୟ କ୍ରୀଡାବିତମାନେ | ଜିତିଥିବା ମୋଟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ ଗେମ୍ସରେ ଏହା ଭାରତର ସର୍ବୋତ୍ତମ ପ୍ରଦର୍ଶନ ବୋଲି କୁହାଯାଇଛି।
ଅଧିକ ପଢ଼ନ୍ତୁ : ରୌପ୍ୟ ପଦକ ବିଜେତା ଓଡ଼ିଆ ଆଥଲେଟ୍ କିଶୋରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ