ନୂଆଦିଲ୍ଲୀ: ଦୀର୍ଘ ଛଅ ବର୍ଷ ପରେ ଜମ୍ମୁ-କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରି ନିଆଯାଇଛି । ଫଳରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ସରକାର ଗଠନର ପଥ ପରିଷ୍କାର ହୋଇଛି । ଏହି ସମ୍ବନ୍ଧରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଇସ୍ତଫା ପରେ ୨୦୧୭ ଜୁନରୁ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ।
ଋବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ହସ୍ତାକ୍ଷରିତ ଅଧିସୂଚନାରେ କୁହାଯାଇଛି ଯେ, ଜମ୍ମୁ-କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଉଛି । ଜମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯ର ଧାରା ୫୪ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖନୀୟ ୨୦୧୯ ଅଗଷ୍ଟରେ ଜମ୍ମୁ-କାଶ୍ମୀରଠୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରାଯାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଏହା ସହିତ ରାଷ୍ଟ୍ରପତି ଶାସନକୁ ବଜାୟ ରଖାଯାଇଥିଲା ।
ନିକଟରେ ଜମ୍ମୁ-କାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ସଂପନ୍ନ ହୋଇଛି । ଏଥିରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ବିଜୟ ହାସଲ କରିଛି । ନ୍ୟାସନାଲ କନଫରେନ୍ସର ଉପ ସଭାପତି ଉମର ଅବଦୁଲ୍ଲା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କୁ ମେଣ୍ଟର ନେତା ଭାବେ ଚୟନ କରାଯାଇଛି । ଅକ୍ଟୋବର ୧୬ ତାରିଖରେ ନୂତନ ସରକାରର ଶପଥ ଗ୍ରହଣ ସମାରୋହ ଶ୍ରୀନଗରରେ ଆୟୋଜିତ ହୋଇପାରେ । କିନ୍ତୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।