ନୂଆଦିଲ୍ଲୀ: ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ତଥା ଲୌହମାନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଦେଶର ଏକୀକରଣକୁ ସୁନିଶ୍ଚିତ କରିଥିବା ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ କୃତଜ୍ଞ ରାଷ୍ଟ୍ରପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି। ସର୍ଦ୍ଦାର ପଟେଲ ଜଣେ ମହାନ ଦେଶପ୍ରେମୀ ଏବଂ ଜଣେ ଅଗ୍ରଣୀ ରାଷ୍ଟ୍ର ନିର୍ମାତା ଥିଲେ। ତାଙ୍କ ଆଦର୍ଶ ଆମକୁ ରାଷ୍ଟ୍ର ନିର୍ମାଣ ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦେବ।
ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି କହିଛନ୍ତି, ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜୟନ୍ତୀରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଦେଶର ଏକତା ଓ ସାର୍ବଭୌମତ୍ୱର ସୁରକ୍ଷା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଥିଲା। ତାଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୮୭୫ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ୧୯୫୦ ଡିସେମ୍ବର ୧୫ରେ ତାଙ୍କର ପରଲୋକ ହୋଇଥିଲା। ସେ ଏକାଧାରରେ ଥିଲେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ। ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଥିଲା। ସ୍ୱାଧୀନ ଭାରତର ସେ ପ୍ରଥମ ଉପପ୍ରଧାନମନ୍ତ୍ରୀ ଥିଲେ। ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ ‘ଲୌହ ମାନବ’ ଉପାଧି ମିଳିଥିଲା। ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ। ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି। ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା।
ଅଧିକ ପଢ଼ନ୍ତୁ: ଶ୍ରୀରାମଙ୍କ ଜୀବନ, ଆଦର୍ଶ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ