ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେଲିଫୋନରେ କଥା ହୋଇଥିଲେ। ଏହି ସମୟରେ ଏଲନ ମସ୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇ ବୈଦେଶିକ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆଲୋଚନାର କେନ୍ଦ୍ରବିନ୍ଦୁ ପାରସ୍ପରିକ ସହଯୋଗ ଏବଂ ଆଞ୍ଚଳିକ ସ୍ଥିରତା ଥିଲା। ଏହି ଆଲୋଚନା କେବଳ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମଙ୍ଗଳବାର ହୋଇଥିବା ଫୋନ୍ ଆଲୋଚନାକୁ ଉଲ୍ଲେଖ କରି, ଶୁକ୍ରବାର ହ୍ୱାଇଟ୍ ହାଉସ୍ କହିଛି ଯେ ଦୁଇ ନେତାଙ୍କ ମଧ୍ୟରେ ଏକ ସକରାତ୍ମକ ଆଲୋଚନା ହୋଇଥିଲା। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ ମୋଦୀ ଏବଂ ଟ୍ରମ୍ପ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିବା ସମୟରେ କୋଟିପତି ବ୍ୟବସାୟୀ ଏଲୋନ୍ ମସ୍କ ମଧ୍ୟ ଫୋନରେ ଉପସ୍ଥିତ ଥିଲେ। ତଥାପି, ବୈଦେଶିକ ମନ୍ତ୍ରଣାଳୟ ଏହି ଦାବିକୁ ଅସ୍ୱୀକାର କରିଛି।
ବାର୍ତ୍ତାଳାପରେ ଏଲନ୍ ମସ୍କ ଥିଲେ ?
ହ୍ୱାଇଟ୍ ହାଉସର ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ଏକ ବିବୃତ୍ତିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ରାଷ୍ଟ୍ରପତି ଟ୍ରମ୍ପଙ୍କର ସଂପର୍କ ବହୁତ ଭଲ ଏବଂ ଦୁହିଁଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ଥିଲା। ନ୍ୟୁୟର୍କ ଟାଇମ୍ସ କହିଛି ଯେ ମଙ୍ଗଳବାର ଟ୍ରମ୍ପ ଏବଂ ମୋଦୀଙ୍କ ମଧ୍ୟରେ ହୋଇଥିବା ଫୋନ୍ ଆଲୋଚନାରେ ଏଲନ୍ ମସ୍କ ଅଂଶଗ୍ରହଣ କରିଥିଲେ। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏକ ବୈଠକରେ ଜଣେ ଅଣ-ସରକାରୀ ନାଗରିକଙ୍କ ଉପସ୍ଥିତ ରହିବା ଅସାଧାରଣ।
ନ୍ୟୁୟର୍କ ଟାଇମ୍ସ ଏହା ମଧ୍ୟ କହିଛି, ମସ୍କଙ୍କ ଆଲୋଚନାରେ ଏହା ସୂଚାଉଛି ଯେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସମ୍ପର୍କରେ ପୁଣି ଥରେ ସୁଧାର ଆସିଛି। ଗତ ବର୍ଷ ମସ୍କ ସରକାର ଛାଡିବା ପରେ ଟ୍ରମ୍ପଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ମସ୍କଙ୍କୁ ସରକାରୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା।