ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ଏକଜିଟ୍ ପୋଲରେ କରାଯାଇଥିବା ପୂର୍ବାନୁମାନଠୁ ଢେର ଅଧିକ ସିଟ୍ ଏନଡିଏ ଜିତୁଥିବା ବର୍ତ୍ତମାନର ଟ୍ରେଣ୍ଡରୁ ଦେଖିବାକୁ ମିଳିଛି । ଅର୍ଥାତ ପୁଣି ଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି । ଏନଡିଏର ସୁନାମୀରେ ବିରୋଧୀ ମହାମେଣ୍ଟ, ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ସମେତ ଅସଦୁଦ୍ଦୀନ ଓୱେସୀଙ୍କ ଦଳକୁ ମାଟି କାମୁଡିବାକୁ ପଡିଛି । ଗତ ପ୍ରଦର୍ଶନଠୁ ଆହୁରି ନିରାଶଜନକ ପ୍ରଦର୍ଶନ କରିଛି ମହାମେଣ୍ଟ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର ମ୍ୟାଜିକ ନମ୍ବର ହେଉଛି ୧୨୨ । ଆଉ ସଦ୍ୟତମ ଟ୍ରେଣ୍ଡ ଅନୁଯାୟୀ, ଏନଡିଏ ୧୯୦ ସିଟରେ ଆଗୁଆ ରହିଛି । ମହାମେଣ୍ଟ ମାତ୍ର ୫୦ ସିଟରେ ଅଗ୍ରଣୀ ହାସଲ କରିଛି । ଜନ ସୁରାଜ ପାର୍ଟି ଖାତା ମଧ୍ୟ ଖୋଲିବା ସ୍ଥିତିରେ ନ ଥିବା ଦେଖା ଦେଇଛି ।
ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରଥମେ ବାଲାଟ ପେପର ଗଣତି ହୋଇଥିଲା ଏବଂ ସାଢେ ୮ଟାରୁ ଇଭିଏମ ପେଡି ଖୋଲିଥିଲା । ଆରମ୍ଭରୁ ହିଁ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ଆଗୁଆ ରହିଥିଲା । ସମୟ ଗଡିବା ସହ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଲା । ପୂର୍ବାହ୍ଣ ସାଢେ ୧୧ଟା ସୁଦ୍ଧା ଏନଡିଏ ଅବିଶ୍ୱସନୀୟ ଭାବେ ୧୯୦ ସିଟରେ ଆଗୁଆ ରହିଛି, ଯାହା ସମସ୍ତ ଆକଳନକୁ ସଂପୂର୍ଣ୍ଣ ଭୁଲ୍ ପ୍ରମାଣିତ କରିଛି । ମହାମେଣ୍ଟ ମାତ୍ର ୫୦ ସିଟରେ ଆଗୁଆ ରହିଛି । ଏହା ସ୍ପଷ୍ଟ ହୋଇଛି ଯେ, ବିହାରରେ ମୋଦୀ ଓ ନୀତିଶଙ୍କ ମ୍ୟାଜିକ କେବଳ କାମ କରିନି ବରଂ ସୁନାମୀ ସୃଷ୍ଟି କରିଛି । ଏହି ଯୋଡି ଆଗରେ ସଂପୂର୍ଣ୍ଣ ବିରୋଧୀ ଧରାଶାୟୀ ହୋଇଛନ୍ତି ।
ପ୍ରାୟ ସମସ୍ତ ଏକଜିଟ ପୋଲରେ ବିଜେପି ଓ ଜେଡିୟୁ ନେତୃତ୍ୱାଧୀନ ଏନଡିଏକୁ ସର୍ବାଧିକ ୧୬୦ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଯାହା ଟ୍ରେଣ୍ଡ ନଜରକୁ ଆସୁଛି ସେଥିରୁ ଢେର ଅଧିକ ଜିତୁଛି ଏନଡିଏ । ଏହା ସହ ନୀତିଶ କୁମାର ରେକର୍ଡ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାକୁ ଯାଉଛନ୍ତି । ଉଭୟ ବିଜେପି ଓ ଜେଡିୟୁ ପାଖାପାଖି ସମାନ ସିଟ୍ ଜିତୁଥିବା ବର୍ତ୍ତମାନର ଟ୍ରେଣ୍ଡ କହୁଛି । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୬ ଏବଂ ୧୧ ତାରିଖରେ ମତଦାନ ହୋଇଥିଲା । ଏଥିରେ ଐତିହାସିକ ୬୭.୧୩ ପ୍ରତିଶତ ମତଦାନ ହୋଇଥିଲା ।
୨୪୩ ଜଣ ରିଟର୍ଣ୍ଣିଂ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୨୪୩ ଜଣ ପର୍ୟ୍ୟବେକ୍ଷକଙ୍କ ସହିତ ଗଣନା ଚାଲିଛି। ପ୍ରାର୍ଥୀ କିମ୍ବା ସେମାନଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣନା କରାଯାଉଛି। ୪,୩୭୨ଟି ଗଣନା ଟେବୁଲ ବ୍ୟବସ୍ଥା କରାଯାଇଛି। ପ୍ରତି ଟେବୁଲ ପାଇଁ ଜଣେ ଲେଖାଏଁ କାଉଣ୍ଟି ସୁପର ଭାଇଜର ଦାୟିତ୍ୱରେ ରହିଛନ୍ତି । ତାଙ୍କୁ କାଉଣ୍ଟି ଆସିଷ୍ଟାଣ୍ଟ ସହଯୋଗ କରୁଛନ୍ତି । ଜଣେ ମାଇକ୍ରୋ ଅବଜରଭର କାଉଣ୍ଟିଂ ଟେବୁଲରେ ରହିଛନ୍ତି । ଗଣତି ପ୍ରକ୍ରିୟାକୁ ତଦାରଖ କରୁଛନ୍ତି ରିଟର୍ଣ୍ଣିଂ ଅଫିସର ।
Also read: ଜିଲାପି, ପରାଠା ଏବଂ ଲିଟି ଚୋଖା...ବିଜେପି ମୁଖ୍ୟାଳୟରେ ପ୍ରସ୍ତୁତି ଜାରି