ଆଲିଗଡ଼, ଅଗଷ୍ଟ ୦୪ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏମ୍ୟୁ)ର ଇସଲାମିକ ଷ୍ଟଡିଜ ବିଭାଗ ଖୁବ ଶୀଘ୍ର ସନାଥନ ଧର୍ମର ଶିକ୍ଷା ମଧ୍ୟ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟର ଛାତ୍ରଛାତ୍ରୀଙ୍କୁ ଦେବ । ଏସଂକ୍ରାନ୍ତରେ ଇସଲାମିକ ଷ୍ଟଡିଜ ବିଭାଗର ଚେୟାରମ୍ୟାନ ପ୍ରୋଫେସର ମହମ୍ମଦ ଇସମାଇଲ କୁଳପତିଙ୍କୁ ପତ୍ର ଲେଖିଛନ୍ତି । ପତ୍ରରେ କୁହାଯାଇଛି ଯେ, ଇସଲାମିକ ଷ୍ଟଡିଜ ବିଭାଗରେ ନୂଆ କୋର୍ସ ଆରମ୍ଭ କରାଯାଉଛି, ଯାହାର ନାମ କର୍ପେରେଟିଭ ରିଲିଜନ (ସନାତନ ଧର୍ମ) । ଏହି ପାଠ୍ୟକ୍ରମ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସନାତନ ଧର୍ବ ପାଠ ପଢ଼ାଯିବ ।
ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଜନସଂପର୍କ ବିଭାଗର ଅଧିକାରୀ ଉମର ପରୀଜାଦା କହିଛନ୍ତି ଯେ, ଏଏମୟୁର ଥିୟୋଲୋଜୀ ବିଭାଗରେ ଗତ ୫୦ ବର୍ଷ ହେବ ସମସ୍ତ ବର୍ଗର ଧର୍ମ ସଂପର୍କରେ ପଢ଼ାଯାଉଛି । ଏବେ ଏହି କ୍ରମକୁ ଆଗକୁ ବଢ଼ାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଏମ୍ୟୁରେ ଇସଲାମିକ ଷ୍ଟଡିଜ ବିଭାଗରେ ମଧ୍ୟ ସନାତନ ଧର୍ମ ସଂପର୍କରେ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ । ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସୟଦ ଅହମଦ ଖାନଙ୍କ ଆଶା ଥିଲା ଯେ, ସବୁ ଧର୍ମର ଛାତ୍ରଛାତ୍ରୀଙ୍କୁ ଏଏମ୍ୟୁ ଶିକ୍ଷା ମିଳୁ । ଏହାକୁ ଦୃଷ୍ଟିରେ ରଖି ଏବଂ ହିନ୍ଦୁ-ମୁସଲିମ ଏକତା ଆଣିବା ପାଇଁ ବିଭାଗ ତରରୁ ଚେୟରମ୍ୟାନ ନିଷ୍ପତ୍ତି ନେଇଛନ୍ତି । ତେଣୁ ଖୁବ ଶୀଘ୍ର ଇସଲାମିକ ଷ୍ଟଡିଜ ବିଭାଗରେ ସନାତନ ଧର୍ମ ଉପରେ ପାଠ ପଢ଼ାଯିବ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଦା ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତାଦ୍ଦୀ ସମାରୋହରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ଏଏମୟୁକୁ ବହୁତ ପ୍ରଶଂସା କରିଥିଲେ । ଏହି ଅବସରରେ ଏଏମୟୁର ପ୍ରଫେସର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ପ୍ରଶଂସା କରିଥିଲେ । ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟାରେ ବିଦେଶୀ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେମାନଙ୍କୁ ମଧ୍ୟ ସନାତନ ଧର୍ମ ଉପରେ ଶିକ୍ଷା ଦିଆଯିବ ।
ଛାତ୍ର ନେତାଙ୍କ କହିବା ଅନୁସାରେ ଏଏମୟୁର ଏହା ଐତିହାସିକ ପଦକ୍ଷେପ । ସୌରଭ ଚୌଧୁରୀ କହିଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା ସମସ୍ତ ଧର୍ମର ଛାତ୍ରଙ୍କୁ ଏକ ସୂତ୍ରରେ ବାନ୍ଧିବାରେ ସହାୟତା ମିଳିବ । ଅନ୍ୟ ଧର୍ମର ଲୋକେ ସନାତନ ଧର୍ମ ସଂପର୍କରେ ଜାଣିବେ । ଆମେ ବିଶ୍ୱବିଦ୍ୟାଳୟର ଏହି ପଦକ୍ଷେପକୁ ସ୍ୱାଗତ କରୁଛୁ ।