କେଜ୍ରିୱାଲ ଦିଲ୍ଲୀର ନୂଆଁ ମୁଖ୍ୟମନ୍ତ୍ରୀ ନିଯୁକ୍ତ, ଶପଥ ପାଇଁ ପ୍ରସ୍ତୁତ ହେଉଛି ରାମଲୀଳା ମୈଦାନ
Khabar Odisha:Nation--President-Ramnath-Kovind-appoints-Arvind-Kejriwal-as-next-Delhi-CM-6-ministers-to-take-oath

ନୂଆଦିଲ୍ଲୀ, ଫେବୃଆରୀ ୧୫ (ଖବର ଓଡ଼ିଶା): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛନ୍ତି । କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚରେ ୭୦ରୁ ୬୨ଟି ଆସନରେ ବିଜୟୀ ହୋଇଥିଲା । ସରକାରୀ ଅଧିସୂଚନା ଅନୁସାରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ଆସନ୍ତାକାଲି (ଫେବୃଆରୀ ୧୬ ରବିବାର) କେଜ୍ରିୱାଲଙ୍କ ସହିତ ୬ ଜଣ ମନ୍ତ୍ରୀ ଶପଥ ନେବେ । ଏମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ ।  

ଅଧିସୂଚନାରେ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବା ନେଇ ଖୁସି ଲାଗିଛି । ତାଙ୍କ ନିଯୁକ୍ତି ଶପଥ ଗ୍ରହଣ ଦିନଠାରୁ ଲାଗୁ ହେବ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ୬୨ଟି ଆସନରେ ବିଜୟୀ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ୮ ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ । କଂଗ୍ରେସ ଖାତା ବି ଖୋଲିପାରି ନ ଥିଲା । 

ବୟାନରେ କୁହାଯାଇଛି କି, ରାଷ୍ଟ୍ରପତି ତତ୍କାଲ ପ୍ରଭାବରେ ଜାତୀୟ ରାଜଧାନୀ ଅଞ୍ଚଳ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫା ପତ୍ର ସ୍ୱୀକାର କରୁଛି । ସେମାନେ ନୂଆଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପର୍ଯ୍ୟନ୍ତ ଜାତୀୟ ରାଜଧାନୀ କ୍ଷେତ୍ର, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ କାମ କରିବେ । 

ଅନ୍ୟପଟରେ ଅରବିନ୍ଦ କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀର ରାମଲୀଳା ମୈଦାନରେ ବ୍ୟାପକ ଆୟୋଜନ ଚାଲିଛି । ପ୍ରାୟ ୪ ଦିନ ହେବ ଏଠାରେ ଦିନ ରାତି କାମ ଚାଲିଛି । କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ରହିବାକୁ ନିମନ୍ତ୍ରଣ ପଠାଇଛନ୍ତି । 

 

  • Tags:

Subscribe

National International State Sports Entertainment