ଜାମ୍ମୁ-କାଶ୍ମୀରର କୋକେରନାଗ ଗୁଳିବିନିମୟ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ସୋମବାର ଜାମ୍ମୁ-କାଶ୍ମୀର ଏବଂ ଶ୍ରୀନଗରର ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏନଆଇଏ ସହିତ ଆତଙ୍କବାଦ ନିରୋଧି ସଂସ୍ଥା ମଧ୍ୟ ଏହି ଚଢ଼ାଉରେ ସାମିଲ ରହିଛି । ମାମଲାରେ ସମ୍ପୃକ୍ତ ଥିବା କିଛି ସନ୍ଦିଗ୍ଧ ଶ୍ରୀନଗରରେ ଲୁଚି ରହିଥିବା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ଏହି ଚଢ଼ାଉ କରାଯାଇଥିଲା ।
ସୂଚନା ଅନୁସାରେ, କୋକେରନାଗ ଗୁଳିବିନିମୟ ମାମଲାରେ ଏନଆଇଏ ପ୍ରାୟ ଏକ ମାସ ତଳେ ୨ ଜଣଙ୍କ ନାମରେ ଚାର୍ଚଶିଟ୍ ଦାଖଲ କରିଥିଲା । ଏହି ୨ ସନ୍ଦିଗ୍ଧ ଶ୍ରୀନଗର ଏବଂ ଜାମ୍ମୁ-କାଶ୍ମୀରରେ ରହୁଥିବା ସୂଚନା ମିଳିଥିଲା । ସନ୍ଦିଗ୍ଧଦ୍ବୟ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଏବା(ଏଲଇଟି)ର ଶାଖା ସଂଗଠନ ଦ ରେଜିଷ୍ଟାଣ୍ଟ ଫ୍ରଣ୍ଟ(ଟିଆରଏଫ) ସହିତ ଜଡ଼ିତ ରହିଥିବା ସୂତ୍ରରୁ ଜଣାପଡ଼ିଛି । ଉଭୟ ଏଲଇଟି ଏବଂ ଟିଆରଏଫ ଜିହାଦ ନାମରେ କାଶ୍ମୀର ଯୁବକମାନଙ୍କୁ ପ୍ରଲୋଭିତ କରି ଆତଙ୍କବାଦୀ ସଂଗଠନରେ ସାମିଲ କରିବା ଲାଗି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଆସୁଥିଲେ । ସୋସିଆଲ ମିଡିଆ ଜରିଆରେ ଏହି ୨ ସଂଗଠନ ବେକାର ଯୁବକଯୁବତୀମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରାଉଥିଲେ । ସୂଚନାଯୋଗ୍ୟ, ୧୯୯୦ ଦଶକରେ ଗଠିତ ଏଲଇଟି ବର୍ତ୍ତମାନ ସମୟରେ ସବୁଠୁ ବଡ଼ ଆତଙ୍କବାଦୀ ସଂଗଠନ ହୋଇଥିବାବେଳେ ଅନନ୍ତନାଗ ଅଞ୍ଚଳରେ ଏହାର ନେଟ୍ୱର୍କ ବିସ୍ତାର କରିବାରେ ଲାଗିଛି, ଯାହା ସୁରକ୍ଷାକର୍ମୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ଅଧିକ ପଢ଼ନ୍ତୁ : ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ କରିବାକୁ ସୁପ୍ରିମକୋର୍ଟର ଅନୁମତି...