ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ବାନ୍ଦ୍ରାରେ ଏନ୍ସିପି ନେତା ବାବା ସିଦ୍ଦିକିଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୁପର ହସ୍ପିଟାଲକୁ ଅଣାଯାଇଛି। ସକାଳ ୭ଟାରୁ ଶବ ବ୍ୟବଚ୍ଛେଦ ଆରମ୍ଭ ହେବ, ଯାହାର ଭିଡିଓଗ୍ରାଫି ମଧ୍ୟ କରାଯିବ।
ମୁମ୍ବାଇ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଚରାଉଚରା ବେଳେ ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇଙ୍କ ସହ ଜଡ଼ିତ ଥିବା କହିଛନ୍ତି। ଅଭିଯୁକ୍ତ ଜଣକ ଗତ ୨୫-୩୦ ଦିନ ଧରି ଉକ୍ତ ଅଞ୍ଚଳରେ ରେକି କରୁଥିଲେ। ତିନି ଜଣ ଅଭିଯୁକ୍ତ ଏକ ଅଟୋ ରିକ୍ସାରେ ବାନ୍ଦ୍ରା ପୂର୍ବ ସୁଟିଂ ସ୍ପଟ୍ (ଯେଉଁଠାରେ ଗୁଳି ଚାଳନା କରାଯାଇଥିଲା) କୁ ଆସିଥିଲେ। ବାବା ସିଦ୍ଦିକିଙ୍କ ଉପରକୁ ଗୁଳି ଚଳାଇବା ପୂର୍ବରୁ ତିନି ଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ। ଅଭିଯୁକ୍ତଙ୍କୁ ସୂଚନା ଦେଉଥିବା ଅନ୍ୟ କେହି ଥିବା ପୁଲିସ ସନ୍ଦେହ କରୁଛି। ଅଭିଯୁକ୍ତମାନେ ହେଲେ ହରିୟାଣାର କରନେଲ ସିଂହ ଓ ଉତ୍ତରପ୍ରଦେଶର ଧର୍ମରାଜ କଶ୍ୟପ।
ସୂଚନାଯୋଗ୍ୟ, ଏନ୍ସିପି ନେତା ସିଦ୍ଦିକିଙ୍କୁ ଦୁବୃର୍ତ୍ତମାନେ ୩ ରାଉଣ୍ଡ ଗୁଳି ଚଳାଇ ଥିଲେ। ସିଦ୍ଦିକିଙ୍କୁ ଗୁରୁତର ଅବସ୍ଥଶରେ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଲୀଲାବତୀ ହସ୍ପିଟାଲର ଡାକ୍ତରକହିଛନ୍ତି ଯେ ବାବା ସିଦ୍ଦିକିଙ୍କୁ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ଏଠାକୁ ଅଣାଯାଇଥିଲା। ଏଠାକୁ ଅଣାଯିବା ମାତ୍ରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା କିନ୍ତୁ ତାଙ୍କ ହୃଦସ୍ପନ୍ଦନ କାମ କରୁନଥିଲା, ତା'ପରେ ଆମର ଯଥାସମ୍ଭବ ଚେଷ୍ଟା କରାଯାଇଥିଲା ଏବଂ ବାବା ସିଦ୍ଦିକିଙ୍କ ରାତି ପ୍ରାୟ ୧୧.୨୭ରେ ମୃତ୍ୟୁ ଘଟିଥିଲା। ଡାକ୍ତରମାନେ କହିଛନ୍ତି ଯେ ତାଙ୍କୁ ଦୁଇଟି ଗୁଳି ବାଜିଥିଲା, ଯେଉଁଥିରେ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିଲା।
ଅଧିକ ପଢ଼ନ୍ତୁ: ଏନ୍ସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା