କୋଲକାତା : ବହୁଚର୍ଚ୍ଚିତ ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ହତ୍ୟା ମାମଲାର ଦୋଷୀ ସଞ୍ଜୟ ରାୟକୁ ସୋମବାର ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ସଞ୍ଜୟକୁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।ତେବେ ଅଦାଲତଙ୍କ ରାୟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସନ୍ତୁଷ୍ଟ ନ ଥିବା ପ୍ରକାଶ କରିଛନ୍ତି। ମମତା ଗଣମାଧ୍ୟମକୁ କହିଛନ୍ତି ଏଭଳି ରାୟରେ ମୁଁ ସନ୍ତୁଷ୍ଟ ନୁହେଁ। ସେ କହିଛନ୍ତି, ଏଭଳି ରାକ୍ଷସକୁ ଫାଶି ଦଣ୍ଡ ହେଉ ଚାହୁଁଥିଲି । ଫାଶି ଦଣ୍ଡ ହୋଇଥିଲେ ମୋତେ ଶାନ୍ତି ମିଳିଥାନ୍ତା । ଘଟଣାର ପ୍ରଥମଦିନଠାରୁ ହିଁ ଦୋଷୀକୁ ଫାଶି ଦିଆଯାଉ ବୋଲି ସେ ଚାହୁଁଥିଲେ ବୋଲି କହିଛନ୍ତି। ଏଥିପାଇଁ ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇର ତଦନ୍ତକୁ ଦାୟୀ କରିଛନ୍ତି। ସିବିଆଇ ଠିକ ଭାବେ ତଦନ୍ତ କରି ନ ଥିବାରୁ ଅଦାଲତ ଦୋଷୀକୁ କଠୋର ଦଣ୍ଡ ଦେଇପାରିଲେ ନାହିଁ। କୋଲକାତା ପୁଲିସ ମାମଲାର ସଠିକ୍ ତଦନ୍ତ କରିଥିଲେ ଦୋଷୀକୁ ନିଶ୍ଚିତ ରୂପେ ଫାଶୀ ଦଣ୍ଡ ମିଳିଥାଆନ୍ତା ବୋଲି ମମତା କହିଛନ୍ତି।
ସୂଚନା ଥାଉ କି ଗତବର୍ଷ (୨୦୨୪) ଅଗଷ୍ଟ ୯ ତାରିଖରେ ଆରଜି.କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ରୁମରୁ ଜଣେ କନିଷ୍ଠ ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ କୋଲକାତା ସମେତ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଅଭିଯୋଗ ହେବାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଶନିବାର ଦିନ ଏହି ମାମଲାରେ କୋଲକାତା ସିଆଲଦା କୋର୍ଟରେ ଶୁଣାଣି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଆଜି ଏହାର ଦଣ୍ଡାଦେଶ ଶୁଣାଇ ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଦିଆଯାଇଛି। ଦୋଷୀ ଉପରେ ଭାରତୀୟ ନ୍ୟାୟ ସଂହିତାର ୩ଟି ଧାରା ଅନୁଯାୟୀ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। କୋର୍ଟ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଏହି ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଥିଲା। ବିଚାରପତି କହିଛନ୍ତି ଯେ, ଏହା ବିରଳ ମାମଲା ନୁହେଁ, ତେଣୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ । ଅନ୍ୟପଟେ ଏନେଇ ପୀଡିତାଙ୍କ ବାପା ମାଆ ମଧ୍ଯ ସିଆଲଦା କୋର୍ଟ ବିଚାରପତିଙ୍କ ନିକଟରେ କହିଛନ୍ତି ଯେ ଆମେ କ୍ଷତିପୂରଣ ନେବାକୁ ଚାହୁଁନାହୁଁ ବରଂ ନ୍ୟାୟ ଚାହୁଁଛୁ । କୋର୍ଟର ନ୍ଯାୟ ଠିକ୍ ହୋଇନାହିଁ ବୋଲି ପୀଡିତାଙ୍କ ବାପା ମାଆ କହିଛନ୍ତି। ସେହିପରି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ମଧ୍ଯ ସମାନ ଦାବି କରିଛନ୍ତି।