ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ମହାରାଷ୍ଟ୍ର ଓ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଜି ଅପରାହ୍ନରେ ନିର୍ବାଚନ କମିଶନ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି।
ରିପୋର୍ଟ ଅନୁସାରେ ଆଜି ଅପରାହ୍ନ ସାଢ଼େ ୩ଟାରେ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏଥିସହ କେତେ ପର୍ଯ୍ୟାୟରେ ନିର୍ବାଚନ ହେବ ଓ କ'ଣ ପ୍ରସ୍ତୁତି ହୋଇଛି ତାହା କମିଶନ କହିବେ।
ଏଥର ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ବେଶ୍ ରୋଚକ ହେବାକୁ ଯାଉଛି। ଶିବସେନା ଓ ଏନସିପି ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ମୁହାଁମୁହିଁ ହେବେ। ଉଦ୍ଧବ ଗୋଷ୍ଠୀର ଶିବସେନା ଏବଂ ଶରଦ ପାୱାର ଗୋଷ୍ଠୀର ଏନସିପି ମହାବିକାଶ ଆଘାଡି ମେଣ୍ଟ ଅଧୀନରେ ନିର୍ବାଚନ ଲଢ଼ିବେ, ସିନ୍ଦେ ଗୋଷ୍ଠୀର ଶିବସେନା ଏବଂ ଅଜିତ ପାୱାର ଗୋଷ୍ଠୀର ଏନସିପି ମହାୟୁତି ମେଣ୍ଟ ଅଧୀନରେ ନିର୍ବାଚନ ଲଢ଼ିବେ।
୪ ମାସ ତଳେ ହୋଇଥିବା ଲୋକସଭା ନିର୍ବାଚନରେ ମହାବିକାଶ ଆଘାଡି ବହୁତ ଭଲ ପ୍ରଦର୍ଶନ କରି ୪୮ଟି ଆସନରୁ ୩୦ଟିରେ ବିଜୟୀ ହୋଇଥିଲା। ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମାତ୍ର ୧୭ଟି ଆସନରେ ବିଜୟୀ ହୋଇଥିଲା। ତେବେ ହରିୟାଣାରେ ନିର୍ବାଚନ ଜିତିବା ପରେ ବିଜେପିର ଉତ୍ସାହ ପୁଣି ଥରେ ଅଧିକ ରହିବ।
ଝାଡ଼ଖଣ୍ଡରେ ରାଜ୍ୟର ସମସ୍ତ ୮୧ଟି ଆସନରେ ବିଧାନସଭା ନିର୍ବାଚନ ହେବ। ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ ୫ରେ ଶେଷ ହେଉଛି। ଏଠାରେ ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଚଳାଇଛନ୍ତି। ନେତାମାନେ ସମସ୍ତ ୮୧ଟି ବିଧାନସଭା ଆସନରେ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏଠାରେ ଭାରତ ମେଣ୍ଟ ଓ ଏନଡିଏ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଶେଷଥର ପାଇଁ ୨୦୧୯ରେ ଏଠାରେ ନିର୍ବାଚନ ହୋଇଥିବା ବେଳେ ମହାମେଣ୍ଟର ବିଜୟ ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଅଧିକ ପଢ଼ନ୍ତୁ: ମଣିପୁରରେ ହିଂସା ନେଇ ଆଜି ଦିଲ୍ଲୀରେ ବୈଠକ