ନୂଆଦିଲ୍ଲୀ: ତାମିଲନାଡୁର ଥୁଥୁକୁଡ଼ି ଜିଲ୍ଲାର ଏକ ମାମଲାରେ ମଦୁରାଇର ଏକ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ହାଜତରେ ବାପ ଓ ପୁଅଙ୍କୁ ନିର୍ଯାତନା ଏବଂ ପରେ ମୃତ୍ୟୁ ମାମଲାରେ ୯ ଜଣ ପୋଲିସ କର୍ମୀଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି କୋର୍ଟ । ଦୋଷୀଙ୍କ ମଧ୍ୟରେ ପୋଲିସ ଇନ୍ସପେକ୍ଟର ଶ୍ରୀଧର ଅଛନ୍ତି, ତାଙ୍କ ଉପରେ ୧୫ ଲକ୍ଷ ଟଙ୍କାର ଜରିମାନ ଲଗାଇଯାଇଛି । ୧୦ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା ହୋଇଥିଲା । ୯ ଜଣ ଜୀବିତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ବୋଲି କୋର୍ଟ କହିଛନ୍ତି ।
କ’ଣ କହିଲେ କୋର୍ଟ ?
ନିଜ ରାୟରେ କୋର୍ଟ କହିଛନ୍ତି ଯେ, ପ୍ରତିଶୋଧ ନେବାକୁ ବାପା ଏବଂ ପୁଅଙ୍କୁ ଉଲଗ୍ନ କରାଯାଇଥିଲା ଏବଂ ନିର୍ମମ ଭାବରେ ମାଡ଼ ମରାଯାଇଥିଲା । ଏହି ମାମଲା ଅତ୍ୟନ୍ତ ହୃଦୟ ବିଦାରକ। ଏକ ପରିବାରକୁ ବିନାଶ କରାଯାଇଥିବା ମାମଲା ଏବଂ କ୍ଷମତାର ଅପବ୍ୟବହାରର ଏକ ସ୍ପଷ୍ଟ ଉଦାହରଣ। କୋର୍ଟ କହିଛନ୍ତି ଯେ, ଯେଉଁମାନେ ଲୋକଙ୍କ ଟଙ୍କାରୁ ଦରମା ପାଆନ୍ତି, ସେମାନେ କାର୍ଯ୍ୟ ତୁଲାଇବାକୁ କୌଣସି ଚାପର ବାହାନା ଦେଇପାରିବେ ନାହିଁ । ଏହି ମାମଲାରେ ସିସିଟିଭି ଫୁଟେଜ୍ ହସ୍ତଗତ ହୋଇଛି । ଖଣ୍ଡପୀଠ ଆହୁରି କହିଛନ୍ତି, ତାମିଲନାଡୁରେ ଅନେକ ସଚ୍ଚୋଟ ପୋଲିସ ଅଧିକାରୀ ଅଛନ୍ତି । କିନ୍ତୁ ଏପରି ମାମଲାରେ କେବଳ ଆଜୀବନ କାରାଦଣ୍ଡ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିପାରିବ ନାହିଁ।
କ’ଣ ଥିଲା ମାମଲା ?
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ମାମଲା ତାମିଲନାଡୁର ଥୁଥୁକୁଡି ଜିଲ୍ଲାର ସଥାନକୁଲମର । ଯେଉଁଠାରେ ପିତା ପି. ଜୟରାଜ ଏବଂ ତାଙ୍କ ପୁଅ ବେନିକ୍ସ ୨୦୨୦ରେ ପୋଲିସ ହେପାଜତରେ ନିର୍ଯାତନାର ଶିକାର ହୋଇଥିଲେ ଏବଂ ପରେ ମୃତ୍ୟୁବରଣ କରିଥିଲେ। ୧୯ ଜୁନ୍ ୨୦୨୦ରେ, ପୋଲିସ ଜୟରାଜଙ୍କୁ ତାଙ୍କ ପୁଅଙ୍କ ମୋବାଇଲ୍ ଦୋକାନରୁ ଥାନାକୁ ନେଇଯାଇଥିଲା । ପୋଲିସ ଦାବି କରିଥିଲା ଯେ, କୋଭିଡ୍-19 କର୍ଫ୍ୟୁ ଲାଗିଥିବା ବେଳେ ଦୋକାନଟି ଖୋଲିଥିଲା। ବେନିକ୍ସ ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ବାପାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ । ପୋଲିସ ତାଙ୍କ ସମ୍ମୁଖରେ ଜୟରାଜଙ୍କୁ ଗାଳି ଦେଇଥିଲା, ଫଳରେ ବିବାଦ ସୃଷ୍ଟି ହୋଇଥିଲା।
ଛତିଶଗଡ଼: ଜଗି ହତ୍ୟା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଜୋଗୀଙ୍କ ପୁଅ ଅମିତ ଜୋଗୀଙ୍କୁ ଆଜୀବନ କାରାଦଣ୍ଡ
ବିବାଦ ନେଲା ଭିନ୍ନ ରୂପ
ପୋଲିସ ରାତିସାରା ଥାନାରେ ଉଭୟ ବାପା ଓ ପୁଅଙ୍କୁ ନିଷ୍ଠୁର ଭାବରେ ମାଡ଼ ମାରିଥିଲା ଏବଂ ନିର୍ଯାତନା ଦେଇଥିଲା। ପରଦିନ, ସେମାନଙ୍କୁ ଚିକିତ୍ସା ବିନା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ଏବଂ କୋଭିଲପଟ୍ଟି ସବ-ଜେଲରେ ରଖାଯାଇଥିଲା। ଅଟକ ସମୟରେ ସେମାନଙ୍କ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ୨୨ ଜୁନ୍ ୨୦୨୦ରେ ବେନିକ୍ସଙ୍କ ଏକ ସରକାରୀ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ତାଙ୍କ ବାପା ଜୟରାଜ ମଧ୍ୟ ଗୋଟିଏ ଦିନ ପରେ ୨୩ ଜୁନରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ପରେ, ମାମଲାରେ ଦୁଇଟି ଏଫଆଇଆର୍ ପଞ୍ଜିକୃତ ହୋଇଥିଲା।
ତଦନ୍ତ ପ୍ରଥମେ ସିବି-ସିଆଇଡିକୁ ହସ୍ତାନ୍ତର କରାଯାଇଥିଲା ଏବଂ ପରେ ସିବିଆଇକୁ ଯାଇଥିଲା। ଅଭିଯୁକ୍ତ ପୋଲିସ ଅଧିକାରୀମାନଙ୍କ ମଧ୍ୟରୁ ଜଣେ, ଏସଏସଆଇ ପାଉଲଦୁରାଇଙ୍କ ଅଗଷ୍ଟ ୨୦୨୦ରେ କୋଭିଡ୍-୧୯ରେ ମୃତ୍ୟୁ ହୋଇଥିଲା। ସିବିଆଇ ବାକି ୯ ଜଣ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଆଉ ଏବେ ସେମାନଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡ ଦେଇଛନ୍ତି ।