ଭୁବନେଶ୍ୱର: ଆଇପିଏଲର ୧୮ ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଅନ୍ସ ମଧ୍ୟରେ ଥିବା ହାଇଭୋଲ୍ଟେଜ ମ୍ୟାଚ୍ ରେ ବାଜିମାତ କରିଛି ବେଙ୍ଗାଲୁରୁ ଟିମ୍ । ଏକ ରୋମାଞ୍ଚ ଭରା ମ୍ୟାଚ୍ ରେ ମୁମ୍ବାଇକୁ ନିଜର ଘରୋଇ ମାଟିରେ ପରାଜୟର ସ୍ୱାଦ ଚଖାଇଛି ବେଙ୍ଗାଲୁରୁ । ଆରସିବିର ଘାତକ ବୋଲିଂକୁ ସାମ୍ନା କରିପାରିଲେନି ମୁମ୍ବାଇ ଇଂଡିଏନ୍ସର ବ୍ୟାଟିଂ ଲାଇନଅପ୍ । ୧୨ ରନ ବ୍ୟବଧାନରେ ମ୍ୟାଚ୍ କୁ ମୁମ୍ବାଇ ହାତରୁ ଛଡ଼ାଇ ନେଇଛି ଆରସିବି ଦଳ । ଏହା ଚଳିତ ସଂସ୍କରଣର ଆରସିବି ପାଇଁ ତୃତୀୟ ବିଜୟ ଥିବା ବେଳେ ମୁମ୍ବାଇ ପାଇଁ ଚତୁର୍ଥ ପରାଜୟ ଥିଲା ।
ଗତକାଲି ଆଇପିଏଲର ୨୦ ତମ ମ୍ୟାଚ୍ ୱାଙ୍ଖଡ଼େ ଷ୍ଟାଡିଅମରେ ଅନୁଷ୍ଠିତ ହୋଇଥିବା ବେଳେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେ ବେଙ୍ଗାଲୁରୁ ପାଞ୍ଚଟି ୱିକେଟ୍ ବିନିମୟରେ ୨୨୧ ରନ ଟାର୍ଗେଟ ମୁମ୍ବାଇ ଆଗରେ ରଖିଥିଲା । ମାତ୍ର ମୁମ୍ବାଇ ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୯ ରନ ସ୍କୋର କରି ୧୨ ରନ ବ୍ୟବଧାନରେ ପରାଜିତ ହୋଇଥିଲା ।
ମ୍ୟାଚ୍ ର ଶେଷ ଓଭର ବହୁ ରୋମାଞ୍ଚପୂର୍ଣ୍ଣ ଥିଲା । ମୁମ୍ବାଇକୁ ଶେଷ ଓଭରରେ ଜିତିବା ପାଇଁ ୧୯ ରନର ଆବଶ୍ୟକତା ଥିବା ବେଳେ ଆରସିବି କୄନାଲଙ୍କୁ ବୋଲିଂ ଦାଇତ୍ୱ ଦେଇଥିଲେ । ଫଳରେ ଶେଷ ଓଭରରେ ହିଁ ମୁମ୍ବାଇର ତିନୋଟି ୱିକେଟ୍ ପତନ ହେବା ଫଳରେ ବିଜୟ ଠାରୁ ୧୨ ରନ ଦୂରରେ ରହିଯାଇଥିଲା ମୁମ୍ବାଇ ।
ଆରସିବି ପ୍ରଥମେ ବ୍ୟାଟିଂ କରି ରଜତ ଓ କୋହଲିଙ୍କ ଅର୍ଦ୍ଧଶତକୀୟ ପାରି ଦଳକୁ ଏକ ମଜବୁତ ସ୍ଥିତିରେ ରଖିଥିଲା । କୋହଲି ୪୨ ବଲରୁ ୬୭ ରନ ସଂଗ୍ରହ କରିଥିବା ବେଳେ ରଜତ ୩୨ ବଲରେ ୬୪ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ସେହିପରି କୄନାଲ ନିଜର ଶାଣିତ ବୋଲିଂ କରି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୟଶ ଦୟାଲ ଓ ହେଜେଲଉଡ଼ ୨ଟି ଲେଖାଏଁ ୱିକେଟ୍ ସଂଗ୍ରହ କରିଥିଲେ ।
ମୁମ୍ବାଇ ସମୁଦାୟ ପାଞ୍ଚଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏରେ ଜିତିଥିବା ବେଳେ ୪ଟି ମ୍ୟାଚ୍ ରେ ପରାଜୟର ସାମ୍ନା କରିଛି । ଏହି ବିଜୟ ସହିତ ବେଙ୍ଗାଳୁରୁ ସମୁଦାୟ ୪ଟି ମ୍ୟାଚ୍ ରୁ ୩ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।