ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏକ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଏଠାରେ ଆଇସିୟୁରେ ଭର୍ତ୍ତି ଥିବା ଜଣେ ପିତା ନିଜ ସାମ୍ନାରେ ଦୁଇ ଝିଅଙ୍କୁ ବିବାହ କରାଇଛନ୍ତି। ରୋଗୀଙ୍କ ଇଚ୍ଛା ଅନୁସାରେ ଡାକ୍ତର ଜଣକ ମୌଲାନାଙ୍କୁ ଡାକି ବିବାହ କରିବାକୁ ଅନୁମତି ଦେଇଛନ୍ତି। ଏହା ପରେ ବିବାହ ପାଇଁ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା।
ଲକ୍ଷ୍ନୌଛକ ନିବାସୀ ମହମ୍ମଦ ଇକବାଲଙ୍କ ଦୁଇ ଜଣ ଝିଅଙ୍କ ବିବାହ ପାଇଁ ବହୁ ପୂର୍ବରୁ ତାରିଖ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ମହମ୍ମଦ ଇକବାଲଙ୍କୁ ରୋଗରେ ଆକ୍ରାନ୍ତ ଥିବାରୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ତାଙ୍କର ଅବସ୍ଥା ସଂକଟାପନ୍ନ ଥିଲା। ଏଭଳି ପରିସ୍ଥିତିରେ ବିବାହ ତାରିଖ ଆସିଥିଲା। ଝିଅମାନେ ବିବାହ କରିବାକୁ ମନା କରିଦେଇଥିଲେ। ପିତାଙ୍କ ଉପସ୍ଥିତି ବିନା ବିବାହ କରିବୁନି ବୋଲି ଦୁଇ ଝିଅ କହିଥିଲେ।
ପରିବାର ଓ ସଂପର୍କୀୟମାନେ ଏହି ପୂରା ଘଟଣା ନେଇ ଡାକ୍ତର ଓ ଏରା ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ ମେଡିକାଲ ଡାକ୍ତର ସହମତିରେ ମହମ୍ମଦ ଇକବାଲଙ୍କ ଦୁଇ ଝିଅଙ୍କ ବିବାହ ଆୟୋଜନ ହୋଇଥିଲା। ମୌଲାନାଙ୍କ ସମେତ ୨ ଝିଅ ମଧ୍ୟ ଆସିଥିଲେ। ଶେଷରେ ଆଇସିୟୁରେ ବିବାହ ଆୟୋଜନ ହୋଇଥିଲା। ତେବେ ଏହି ବିରଳ ବିବାହକୁ ନେଇ ପୂରା ଲକ୍ଷ୍ନୌ ସମେତ ଉତ୍ତର ପ୍ରଦେଶରେ ଚର୍ଚ୍ଚା ହେଉଛି। ସେହିପରି ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହା ଭାଇରାଲ ହେଉଛି।