ଗୋପେଶ୍ବର: ବଦ୍ରୀନାଥ ରାଜପଥରେ ଭୂସ୍ଖଳନ ହୋଇଛି। ଉତ୍ତରାଖଣ୍ଡର ପବିତ୍ର ବଦ୍ରୀନାଥ ଧାମ ରାସ୍ତା ଉପରେ ପାହାଡ଼ ଧସିଛି। ଏହି କାରଣରୁ ୩୦୦୦ରୁ ଅଧିକ ଯାତ୍ରୀ ଫସିଛନ୍ତି। ଯୋଶୀମଠ ନିକଟରେ ବନ୍ଦ ବଦ୍ରୀନାଥ ରାଜପଥରେ ଏଭିଳ ଅଭାବନୀୟ ଘଟଣା କାରଣରୁ ଲୋକେ ହଇରାଣ ହେଉଛନ୍ତି। ରାସ୍ତା ସ୍ବାଭାବିକ କରିବା ପାଇଁ କାମ ଜାରି ରହିଛି। ସୀମା ସଡ଼କ ସଂଗଠନର ମେସିନ ବ୍ୟବହାର କରାଯାଇଛି। କିନ୍ତୁ ପାହାଡ଼ିଆ ସ୍ଥାନ ହୋଇଥିବାରୁ କାମରେ ବାଧା ପହଞ୍ଚୁଛି।
ବଦ୍ରୀନାଥ ରାଜପଥର ଯୋଶୀମଠରେ ବନ ବିଭାଗ ଛକ ନିକଟରେ ପାହାଡ଼ ଧସିଥିଲା। ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ପାହାଡ଼ ଉପରୁ ପୁଣି ଏକ ବିଶାଳକାୟ ଚଟ୍ଟାଣ ଖସିଥିଲା। ଫଳରେ ରାଜପଥର ଏକ ବୃହତ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ବିଆରଓ ଓ ଏନ୍ଏଚ୍ର ମେସିନ ଲଗାତାର କାମ କରୁଛି। ଏହି ରାସ୍ତାରେ ବଡ଼ କଷ୍ଟରେ ବର୍ତ୍ତମାନ କେବଳ ପାଦରେ ଚାଲିଚାଲି ଯାଇ ହେଉଛି। ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି।
ରାଜପଥ ବନ୍ଦ ହେବା କାରଣରୁ ବଦ୍ରୀନାଥ ଧାମ ଓ ହେମକୁଣ୍ଡ, ଫୁଲ ଘାଟି, ଔଲି ଆସିଥିବା ଯାତ୍ରୀ ଓ ପର୍ଯ୍ୟଟକ ଫସିଛନ୍ତି। କୁହାଯାଉଛି ଯେ, ହେମକୁଣ୍ଡ ଓ ବଦ୍ରୀନାଥ ଧାମରୁ ଫେରୁଥିବା ୮୦୦ରୁ ଅଧିକ ଯାତ୍ରୀ ଯୋଶୀମଠ ଗୋବିନ୍ଦଘାଟରେ ଫସିଛନ୍ତି। ସେହିପରି ୨୨୦୦ ଯାତ୍ରୀ ବଦ୍ରୀନାଥ ଧାମ ହେମକୁଣ୍ଡ ଫୁଲ ଘାଟି ଯିବା ପାଇଁ ହେଲଙ୍ଗ, ପିପଲକୋଟି, ବିରହୀ ଚମୋଲୀ ଆଦି ସ୍ଥାନରେ ଅଟକିଛନ୍ତି।