ନୂଆଦିଲ୍ଲୀ: ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ବରେ ଉତ୍ସାହର ସହିତ ଆୟୋଜନ ହୋଇଛି। ଉତ୍ତମ ସ୍ବାସ୍ଥ୍ୟ ପାଇଁ କରାଯାଇଥିବା ଏହି ପ୍ରୟାସରେ ସେନାର ଯବାନମାନେ ମଧ୍ୟ ଯୋଡ଼ି ହୋଇଯାଇଛନ୍ତି। ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଅନ୍ୟମାନଙ୍କ ସହିତ ଆଜି ଯୋଗ କରିଛନ୍ତି। କାରିପା ପରେଡ ପଡ଼ିଆରେ ସେ ଯୋଗ କରିଛନ୍ତି। ଏହି ଅବସରରେ ସେନାର ଯବାନମାନେ ମଧ୍ୟ ଯୋଗାଭ୍ୟାସ କରିଛନ୍ତି। ଦିଲ୍ଲୀରେ ଭାରତୀୟ ଜଳ ସେନାର ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଯୋଗ କରିଛନ୍ତି।
ଉତ୍ତର ସିକ୍କିମର ମୁଗୁଥାଙ୍ଗ ସବ୍ ସେକ୍ଟରରେ ଆଇଟିବିପି ଯବାନମାନେ ଆଜି ଭୋର ସକାଳୁ ଯୋଗ କରିଛନ୍ତି। ସମୁଦ୍ର ସ୍ତରରୁ ଏହି ଯୋଗ ଶିବିର ୧୫,୦୦୦ ଫୁଟ୍ ଉଚ୍ଚରେ ହୋଇଛି। ସେହିପରି ଭାରତୀୟ ସେନାର ଅନ୍ୟ ଯବାନମାନେ ମଧ୍ୟ ଯୋଗ କରିଛନ୍ତି। ପୂର୍ବ ଲଦ୍ଦାଖରେ ଯବାନମାନେ ଏକତ୍ର ହୋଇ ଯୋଗାଭ୍ୟାସ କରିଛନ୍ତି।
ଯୋଗ କେବଳ ପାହାଡ଼ରେ ନୁହେଁ। ଜଳ ଭିତରେ ମଧ୍ୟ ଯୋଗ ହୋଇଛି। ଭାରତୀୟ ଜଳ ସେନାର ଜାହାଜ ବିକ୍ରମାଦିତ୍ୟରେ ମଧ୍ୟ ଯବାନମାନେ ଯୋଗ କରିଛନ୍ତି। ସୀମା ସୁରକ୍ଷା ବାହିନୀର ଯବାନମାନେ ଅନ୍ତର୍ଜାତୀୟ ସୀମାର ଆର.ଏସ୍ ପୁରା ସେକ୍ଟରରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କରିଛନ୍ତି। ଲଦ୍ଦାଖର କୋଲ ସୋନମ ୱାଙ୍ଗଚୁକ ଷ୍ଟାଡିୟମରେ ସେନାର ଯବାନମାନେ ଯୋଗ କରିଛନ୍ତି।
କୋଲକାତାରେ ବିଏସ୍ଏଫ୍ର ଯବାନମାନେ ଯୋଗ କରିଛନ୍ତି। ଏସଏସବିର ୪୧ ନମ୍ବର ବାଟାଲି୍ର, ସିଲିଗୁଡ଼ି ଏସ୍ଏସ୍ବି, ରାନୀଡାଙ୍ଗୀର ଏସଏସ୍ବି ଓ ଅନ୍ୟ ସୁରକ୍ଷାକର୍ମୀମାନେ ମଧ୍ୟ ଯୋଗ କରିଛନ୍ତି।