ନୂଆଦିଲ୍ଲୀ: ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ କିମ୍ବା ହଙ୍ଗେରୀ-ଆମେରିକାର ବ୍ୟବସାୟୀ ଜର୍ଜ ସୋରୋସ । ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ କାହା ସହ ଆପଣ ରାତ୍ରଭୋଜନ କରିବାକକୁ ପସନ୍ଦ କରିବେ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପଚରା ଯାଇଥିବା ଏହି ପ୍ରଶ୍ନରେ ଜୟଶଙ୍କର ବେଶ ଚତୁରତାର ସହ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଏବେ ନବରାତ୍ରୀ ଚାଲିଛି । ମୁଁ ଉପବାସ କରିବାକୁ ପସନ୍ଦ କରିବି । ତାଙ୍କର ଏହି ଉତ୍ତରକୁ ଖୁବ୍ ପ୍ରଶଂସା କରାଯାଉଛି ।
ସମାଚାର ଏଜେନ୍ସି ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କୁ ଏଭଳି ପ୍ରଶ୍ନ କରାଯାଇଥିଲା । ଜୟଶଙ୍କର କହିଛନ୍ତି, ଏବେ ନବରାତ୍ର ଚାଲିଛି ଏବଂ ମୁଁ ଉପବାସ କରୁଛି । ବୈଦେଶିକ ମନ୍ତ୍ରୀଙ୍କ ଏମିତି ଜବାବରେ ଦର୍ଶକ ଖୁବ୍ ତାଳି ମାରିବା ସହ ପ୍ରଶଂସା କରିଛନ୍ତି ।
ଜୟଶଙ୍କର ଏହି ଭିଡିଓର କ୍ଲିପ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରୋ ଲାଗିଛି । ଲୋକେ ବୈଦେଶିକ ମନ୍ତ୍ରୀଙ୍କ ଏହି ଧରଣର ଜଟିଳ ପ୍ରଶ୍ନର ଉତ୍ତର ପାଇଁ ବେଶ ପ୍ରଶଂସା କରୁଛନ୍ତି । ଉଲ୍ଲେଖଯୋଗ୍ୟ, ସୋରୋସ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ସମାଲୋଚକ ।
ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନିଜର ପାକିସ୍ତାନ ଗସ୍ତକୁ ନେଇ ଜୟଶଙ୍କର କହିଛନ୍ତି, ଏହା ଏକ ବହୁପକ୍ଷୀୟ କାର୍ଯ୍ୟକ୍ରମ । ମୁଁ ସେଠାକୁ ଭାରତ-ପାକିସ୍ତାନ ସମ୍ବନ୍ଧ ଉପରେ ଆଲୋଚନା ପାଇଁ ଯାଉ ନାହିଁ । ଏସସିଓର ଏକ ଭଲ ସଦସ୍ୟ ଭାବେ ମୁଁ ସେଠାକୁ ଯାଉଛି । ଆପଣ ଜାଣିଛନ୍ତି, ମୁଁ ଏକ ବିନମ୍ର ଓ ସଭ୍ୟ ବ୍ୟକ୍ତି । ଏଥିପାଇଁ ମୁଁ ସେହି ହିସାବରେ ବ୍ୟବହାର କରିବି ।
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଅକ୍ଟୋବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଏହି ବୈଠକ ଆୟୋଜିତ ହେବ । ଏଥିରେ ଭାରତର ପ୍ରତିନିଧିତ୍ୱ କରିବେ ଜୟଶଙ୍କର । ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସୂଚନା ଦେଇଥିଲେ ।