ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ବୁଧବାର ନୈନିତାଲରେ କୁମାଉଁ ବିଶ୍ୱ ବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ସମୟରେ ଅଚେତ ହୋଇ ପଡିଛନ୍ତି । ଉପରାଷ୍ଟ୍ରପତି ଭାଷଣ ଦେବା ପରେ ମଞ୍ଚରୁ ତଳକୁ ଓହ୍ଲାଇ ଦର୍ଶକଙ୍କ ଗହଣରେ ବସିଥିବା ପୂର୍ବତନ ସଂସଦୀୟ ସହଯୋଗୀ ମହେନ୍ଦ୍ର ସିଂ ପାଲଙ୍କ ପାଖକୁ ଯାଇଥିଲେ । ଏହି ଅବସରରେ ପାଲ୍ ଓ ଧନଖଡ ପରସ୍ପରକୁ ଭାବୁକ ହୋଇ ପଡିଥିଲେ । ପରସ୍ପର କିଛି ସମୟ କଥା ହେବା ପରେ ଧନଖଡ ପାଲଙ୍କୁ ଆଲିଙ୍ଗନ କରିଥିଲେ ଏବଂ ତାଙ୍କ କାନ୍ଧରେ ହିଁ ଚେତା ହରାଇଥିଲେ ।
ମହେନ୍ଦ୍ର ପାଲ ସିଂହଙ୍କ କାନ୍ଧରେ ଚେତା ହରାଇବା ସମୟରେ ଉପରାଷ୍ଟ୍ରପତିଙ୍କ ମେଡିକାଲ୍ ଟିମ୍ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ । ଟିମ୍ ତାଙ୍କୁ ହୋସକୁ ଆଣିଥିଲେ । ପୁଣି ଧନଖଡ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ । ଉଲ୍ଲେଖନୀୟ ଉତ୍ତରାଖଣ୍ଡ ହାଇକୋର୍ଟର ଆଇନଜୀବୀ ମହେନ୍ଦ୍ର ପାଲ ୧୯୮୯ରେ ଲୋକସଭାର ସାଂସଦ ଥିଲେ । ସେହି ସମୟରେ ଧନଖଡ ଝୁଂଝୁନୁରୁ ସାଂସଦ ଥିଲେ ।
ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ରାୱତ କହିଛନ୍ତି, ଏବେ ଉପରାଷ୍ଟ୍ରପତି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଚିନ୍ତିତ ହେବାର କୌଣସି କାରଣ ନାହିଁ । ଉପରାଷ୍ଟ୍ରପତି ଧନଖଡ ବୁଧବାର କୁମାଉଁ ବିଶ୍ୱ ବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟ କିଛିଟା ବିଗିଡିଥିଲା । କିନ୍ତୁ ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ମୁଁ ତାଙ୍କୁ ଦେଖିବାକୁ ଯାଇଥିଲି । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସେଠାକୁ ଯାଇଥିଲେ ।