କିନ୍ନୋର: ଭାରତ ସୀମାରେ ଅନୁପ୍ରବେଶ କରିବା ସହ ଗୁଇନ୍ଦାଗିରି କରୁଛି ଚୀନ। ଏମିତି ସମ୍ବେଦନଶୀଳ ଖବର ଆସିଛି ହିମାଚଳ ପ୍ରଦେଶରୁ। ରାଜ୍ୟର କିନ୍ନୋରରେ ଭାରତ-ଚୀନ ସୀମାରେ ଡ୍ରୋନ ଦେଖିବାକୁ ମିଳିଥିବା ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ହିମାଚଳ ପ୍ରଦେଶର ମନ୍ତ୍ରୀ ଜଗତ ସିଂ ନେଗୀ। ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, କିନ୍ନୋର ଜିଲ୍ଲାର ପୁ ବ୍ଲକରେ ସିପକି ଲା ଓ ଋଷି ଡୋଗରୀ ଗାଁରେ ଡ୍ରୋନ ଗତିବିଧି ଦେଖିବାକୁ ମିଳିଛି। ଡ୍ରୋନର ବ୍ୟବହାର ଗୁଇନ୍ଦାଗିରି ଉଦ୍ଦେଶ୍ୟରେ କରାଯାଉଥିବା ମନ୍ତ୍ରୀ କହିଛନ୍ତି।
ଜଗତ ସିଂ ନେଗି କିନ୍ନୋର ନିର୍ବାଚନ ମଣ୍ଡଳୀର ବିଧାୟକ। ସେ କହିଛନ୍ତି, ଗତ ସପ୍ତାହରେ ସୀମା ସଂଲଗ୍ନ ଅଞ୍ଚଳରେ ବାରମ୍ବାର ଅନେକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଏହି ବିଷୟରେ ମୋତେ ସୂଚିତ କରାଇଥିଲେ। ତାଙ୍କ କହିବା କଥା ଏହି ସବୁ ଡ୍ରୋନ ଭାରତ ସୀମାରେ ଚାଲିଥିବା ସଡକ ନିର୍ମାଣ ସମେତ ଅନ୍ୟ ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଇଛି।
ବିଧାୟକ କହିଛନ୍ତି, ସିପକିଲା ଓ ଋଷି ଡୋଗରୀ ଉଭୟ ଅଞ୍ଚଳରୁ ବାସ୍ତବ ନିୟନ୍ତ୍ରଣ ରେଖା ପର୍ଯ୍ୟନ୍ତ ସଡ଼କ ନିର୍ମାଣ କାମ ଚାଲିଛି। ତେଣୁ ଡ୍ରୋନ ଦ୍ଵାରା ନଜର ରଖାଯିବା ସମ୍ବାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଏହି ମାମଲାକୁ ଗୁରୁତର ସହ ଗ୍ରହଣ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଛନ୍ତି। ଏପରିକି ପୋଲିସ ଓ ସେନାର ଯବାନ ଏହି ଡ୍ରୋନ ଦେଖିଛନ୍ତି। କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍।
ସୂଚନାଯୋଗ୍ୟ, କିନ୍ନୋର ଓ ଲାହୋଲ ଆଦିବାସୀ ବହୁଳ ଜିଲ୍ଲା ସହିତ ୨୪୦ କିଲୋମିଟର ଚୀନ ସୀମା ଲାଗି କି ରହିଛି। ଏହି ସବୁ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଭିତ୍ତିଭୂମି କାମ ଜାରି ରହିଛି। ତେଣୁ କେନ୍ଦ୍ର ସରକାର ଯଥା ଶୀଘ୍ର ତ୍ଵରିତ ପଦକ୍ଷେପ ନେବାକୁ ଅପିଲ୍ କରିଛନ୍ତି କିନ୍ନୋରର ବିଧାୟକ।