ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ବିଆର ଗବାଇ ବୁଧବାର ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଆବେଦନ ଉପରେ ଶୁଣାଣିରୁ ନିଜକୁ ଦୂରେଇ ନେଇଛନ୍ତି । ଏହି ଯାଚିକାରେ ଇନ ହାଉସ ଯାଞ୍ଚ କମିଟିର ରିପୋର୍ଟକୁ ଚ୍ୟାଲେଞ୍ଜ କରାଯାଇଛି । କମିଟି ନିଜ ରିପୋର୍ଟରେ ବିଚାରପତି ବର୍ମାଙ୍କୁ ବେଆଇନ ଅର୍ଥ ବିବାଦରେ ଦୋଷୀ ସାବ୍ୟସ୍ତ କରିଥିଲା ।
ସିଜେଆଇ ଗବାଇ ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ କହିଛନ୍ତି ଯେ, ମୁଁ ଏହି ମାମଲାର ଶୁଣାଣି କରି ପାରିବି ନାହିଁ । କାରଣ ମୁଁ ଜଷ୍ଟିସ ବର୍ମାଙ୍କୁ ଚୟନ କରିଥିବା କଲେଜିୟମର ସଦସ୍ୟ ଥିଲି । ଆମକୁ ଏହି ମାମଲାକୁ ସୂଚୀବଦ୍ଧ କରିବାକୁ ପଡିବ ଏବଂ ନୂତନ ପୀଠ ଗଠନ କରିବାକୁ ପଡିବ । ମୁଁ ଜଷ୍ଟିସ ବର୍ମାଙ୍କୁ ଚୟନ କରିଥିବା କଲେଜିୟମରେ ଥିବାରୁ ମୋର ଶୁଣାଣି କରିବା ଠିକ୍ ନୁହେଁ ।
ସିଜେଆଇଙ୍କ ଏହି ଟିପ୍ପଣୀ ସେହ ସମୟରେ ଆସିଛି ଯେତେବେଳେ କପିଲ ସିବଲ ବିଚାରପତି ବର୍ମାଙ୍କ ପକ୍ଷରୁ ଏହି ମାମଲାର ଶୀଘ୍ର ଶୁଣାଣି ସାରିବାକୁ ଦାବି କରିଛନ୍ତି । ସିବଲ କହିଛନ୍ତି, ଯାଚିକାରେ ସାମ୍ବିଧାନିକ ପ୍ରଶ୍ନ ଉଠାଯାଇଛି, ଏଥିପାଇଁ ଶୀଘ୍ର ଶୁଣାଣିର ଆବଶ୍ୟକତା ରହିଛି । ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ବିଚାରପତି କେ ବିନୋଦ ଚନ୍ଦ୍ରନ ଓ ବିଚାରପତି ଜୟମାଲ୍ୟା ବାଗଚୀ ସାମିଲ ଥିଲେ । ଜଷ୍ଟିସ ବର୍ମା ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନାଙ୍କ ଦ୍ୱାରା ମେ ୮ରେ କରାଯାଇଥିବା ସେହି ସୁପାରିଶକୁ ରଦ୍ଦ କରିବାକୁ ଦାବି କରିଛନ୍ତି, ଯେଉଁଥିରେ ସଂସଦରେ ତାଙ୍କ ବିରୋଧରେ ମହାଭିଯୋଗ ଆରମ୍ଭ କରିବାକୁ ଅନୁରୋଧ କରାଯାଇଥିଲା ।
ମାମଲା କଣ ?
ଜଷ୍ଟିସ ଯଶବନ୍ତ ବର୍ମା ସେହି ସମୟରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିଲେ, ଯେବେ ମାର୍ଚ୍ଚ ୧୪ ତାରିଖ ରାତି ପ୍ରାୟ ୧୧ଟା ୩୫ରେ ତାଙ୍କର ସରକାରୀ ବାସଭବନରେ ନିଆଁ ଲାଗିଥିଲା । ଏହି ଘଟଣା ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ନଗଦ ଜବତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା । ଏହାକୁ ନେଇ ବିବାଦରେ ଫସିଥିଲେ ଜଷ୍ଟିସ ବର୍ମା । ଏହା ପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୀଲୁ ନାଗଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ କମିଟି ୧୦ ଦିନ ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ । ୫୫ ଜଣ ସାକ୍ଷୀଙ୍କୁ ପଚରା ଉଚୁରା କରିବା ସହ ଘଟଣାସ୍ଥଳର ନିରୀକ୍ଷଣ କରିଥିଲେ ।
ଘଟଣାର ତଦନ୍ତ କରିଥିବା କମିଟିର ରିପୋର୍ଟରେ କୁହାଯାଇଥିଲା ଯେ, ବିଚାରପତି ବର୍ମା ଓ ତାଙ୍କ ପରିବାରର ସଦସ୍ୟ ଉକ୍ତଙ୍କ ନିୟନ୍ତ୍ରଣରେ ଥିଲା ଷ୍ଟୋର ରୁମ । ଏଠାରୁ ବିପୁଳ ମାତ୍ରାରେ ଅଧପୋଡା ନଗଦ ମିଳିଥିଲା । ଏଥିରେ ଜଷ୍ଟିସ ବର୍ମାଙ୍କ ଦୁର୍ନୀତିର ପ୍ରମାଣ ମିଳିଥିଲା । ଏହା ଏତେ ଗମ୍ଭୀର ଯେ, ତାଙ୍କୁ ବିଚାରପତି ପଦରୁ ହଟାଯିବା ଉଚିତ୍ ।