ନୂଆଦିଲ୍ଲୀ: ଗୋଆର ପ୍ରସିଦ୍ଧ ‘ବ୍ରିଚ ବାୟ ରୋମିଓ ଲେନ’ ନାଇଟକ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ପରେ ଫେରାର ଥିବା ଅଜୟ ଗୁପ୍ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ଗୁପ୍ତାଙ୍କୁ ଦିଲ୍ଲୀର ଲାଜପତ ନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ବ୍ରେନ ଆଣ୍ଡ ସ୍ପାଇନରେ ଭର୍ତ୍ତି ହେବା ପରେ ଗିରଫ କରାଯାଇଛି । ଅଧିକାରୀଙ୍କ ଅନୁଯାୟୀ, ଗୁପ୍ତାଙ୍କୁ ତାଙ୍କ ଡ୍ରାଇଭର ହରିୟାଣା ନମ୍ବର ଥିବା ଇନୋଭା କାରରେ ହସ୍ପିଟାଲ୍ ନେଇ ପହଞ୍ଚିଥିଲା । ଯେବେ ଗୁପ୍ତାଙ୍କୁ ଏହି ଘଟଣା ବିଷୟରେ ପଚରାଗଲା ସେ କହିଛନ୍ତି ମୁଁ କେବଳ ସ୍ଲିପିଂ ପାର୍ଟନର ।
ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଯେବେ ଗୁପ୍ତାଙ୍କୁ ପ୍ରଶ୍ନ କରାଗଲା, ସେ କହିଛନ୍ତି ମୁଁ କେବଳ ଲୁଥରା ଭାଇଙ୍କ ସ୍ଲିପିଂ ପାର୍ଟନର, ଏଥିରୁ ଅଧିକ ଆଉ କିଛି ନୁହେଁ । ଉଲ୍ଲେଖନୀୟ ଅଜୟ ଗୁପ୍ତାଙ୍କ ବିରୋଧରେ ପ୍ରଥମେ ଲୁକ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା । କାରଣ ଗୋଆ ପୋଲିସ ତାଙ୍କ ସନ୍ଧାନରେ ଘର ପର୍ଯ୍ୟନ୍ତ ପହଞ୍ଚିଥିଲା, ମାତ୍ର ସେଠାରେ ସେ ନ ଥିଲା । ଏବେ ତାଙ୍କୁ ଶୀଘ୍ର ସାକେତ କୋର୍ଟରେ ହାଜର କରାଯିବ । ଗୋଆ ପୋଲିସ ଗୁପ୍ତାଙ୍କ ଟ୍ରାଞ୍ଜିଟ ରିମାଣ୍ଡ ବି ଦାବି କରିବ, ଯଦ୍ୱାରା ତାଙ୍କୁ ଆଗାମୀ ଜେରା ପାଇଁ ଗୋଆ ନିଆଯାଇ ପାରିବ ।
ନାଇଟ୍ କ୍ଲବର ଅନ୍ୟ ଦୁଇ ମାଲିକ ସୌରଭ ଲୁଥରା ଓ ଗୌରବ ଲୁଥରା ଏବେ ବି ଫେରାର ଅଛନ୍ତି । ଯାଞ୍ଚରୁ ଜଣା ପଡିଛି ଯେ, ଦୁର୍ଘଟଣାର କିଛି ଘଣ୍ଟା ପରେ ରବିବାର ସକାଳ ୫ଟା ୩୦ରେ ଇଣ୍ଡିଗୋ ଫ୍ଲାଇଟରେ ଥାଇଲ୍ୟାଣ୍ଡ ଫେରାର ମାରିଛନ୍ତି । ଉଭୟ ଘଟଣା ସମୟରେ ଦିଲ୍ଲୀରେ ଥିଲେ । ଇମିଗ୍ରେସନ ବ୍ୟୁରୋର ରିପୋର୍ଟ ପରେ ତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି । ଦିଲ୍ଲୀ ଓ ଗୋଆ ପୋଲିସ ଲୁଥରା ଭାଇଙ୍କ ସହ ଜଡିତ ଠିକଣା ଓ ନେଟୱର୍କରେ ଚଢାଉ ଜାରି ରଖିଛି ।
କେମିତି ଘଟିଲା ଘଟଣା ?
ସଙ୍ଗୀତ କାର୍ଯ୍ୟକ୍ରମ ସମୟରେ ନାଇଟକ୍ଲବରେ ନିଆଁ ଲାଗି ଯାଇଥିଲା । ଭିଡିଓରେ ଦେଖିବାକୁ ମିଳିଛି ଯେ, ଛାତରେ ଅଚାନକ ନିଆଁ ଜଳୁଛି ଏବଂ ଧୂଆଁ ପୂରା ହଲରେ ଛାଇ ଯାଇଥିଲା । ଏହି ସମୟରେ ସୋଲେ ଫିଲ୍ମର ମହବୁବା ମହବୁବା ଉପରେ ଡ୍ୟାନ୍ସ ଚାଲିଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ସଙ୍ଗୀତ କାର୍ଯ୍ୟକ୍ରମ ସମୟରେ ହୋଇଥିବା ଆତସବାଜି କାରଣରୁ ନିଆଁ ଲାଗିଥିଲା । ଘଟଣାରେ ଏ ପର୍ଯ୍ୟନ୍ତ ନାଇଟ କ୍ଲବର ଚାରି ଜଣଙ୍କୁ ଗିରଫ କରାଯାଇଛି । ସେଥିରେ ମ୍ୟାନେଜର ବି ସାମିଲ୍ । ଏହା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି । କେମିତି ଏହି ନାଇଟ କ୍ଲବକୁ ଲାଇସେନ୍ସ ମିଳିଲା ।
Also read:ମୁଁ ପଶ୍ଚିବବଙ୍ଗର ଓୱେସି: ହୁମାୟୁନ୍ କବୀର