ଶ୍ରୀନଗର: ଜମ୍ମୁ-କାଶ୍ମୀରର କିସ୍ତୱାଡାରେ ଶୁକ୍ରବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଉଭୟ ପକ୍ଷରେ ହୋଇଥିବା ଗୁଳିବିନିମୟରେ ଚାରି ଯବାନ ଆହତ ହୋଇଛନ୍ତି । ଅନ୍ୟପଟେ କଠୁଆରେ ଘଟିଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଉଭୟ ସ୍ଥାନରେ ଗୁଳି ବିନିମୟ ଜାରି ରହିଛି ଏବଂ ସେନା ସ୍ଥିତି ଉପରେ ନଜର ରଖିଛି ।
ସୂଚନା ଅନୁଯାୟୀ, କିସ୍ତୱାଡାର ଚାରୁଟରେ ଆତଙ୍କବାଦୀ ଛପି ରହିଥିବା ସୂଚନା ମିଳିଥିଲା । ଏହା ପରେ ଭାରତୀୟ ସେନା ଓ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାର ଜବାବ ଯବାନ ଦେଇଥିଲେ । ଏହି ସମୟରେ ଚାରି ଜଣ ସୁରକ୍ଷାବଳ ଆତହ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାସ୍ଥଳରେ ଅପରେସନ ଜାରି ରହିଛି ।
ସୂଚନାଯୋଗ୍ୟ, ଚଳିତ ମାସ ୧୮ ତାରିଖରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଆତଙ୍କବାଦୀମାନେ ନିର୍ବାଚନକୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ସୁରକ୍ଷାବଳ ଉଧମପୁର ଜିଲ୍ଲାର ବସନ୍ତଗଡ ଅଞ୍ଚଳରେ ଗୁଳିବିନିମୟରେ ଦୁଇ ଆତଙ୍କବାଦୀଙ୍କ ନିପାତ କରିଥିଲେ ।