ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦେଶର ନୂଆ ଉପରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆୟାଗ ପକ୍ଷରୁ ଏ ନେଇ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ । ଆୟୋଗ କହିଛି ଯେ, ଧନଖଡ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଏହି ପଦରେ ନିର୍ବାଚନ ପାଇଁ ଆମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯିବ । ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରାଯିବ ।
ନିର୍ବାଚନ ଆୟୋଗ ଲେଖିଛନ୍ତି, ଧାରା ୩୨୪ ଆଧାରରେ ଉପରାଷ୍ଟ୍ରପତିଙ୍କ ନିର୍ବାଚନର କାର୍ଯ୍ୟ ନିର୍ବାଚନ ଆୟୋଗ ସଂପାଦନ କରିଥାନ୍ତି । ଏହାର ନିର୍ଦ୍ଦେଶନା ରାଷ୍ଟ୍ରପତିଙ୍କ ପକ୍ଷରୁ କରାଯାଏ । ନିର୍ବାଚନ ଆୟୋଗ ଏବେ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଆୟୋଗ ପକ୍ଷରୁ ଶୀଘ୍ର ଏହାର ତାରିଖ ଘୋଷଣା କରାଯିବ । ଆୟୋଗ କହିଛି, ତାରିଖ ଘୋଷଣା କରିବା ପୂର୍ବରୁ ଆମେ କିଛି ଦିଗ ଉପରେ କାମ କରୁଛୁ । ଏଥିରେ ଗୋଟିଏ ଇଲେକ୍ଟୋରାଲ କଲେଜ ପ୍ରସ୍ତୁତ କରାଯିବ । ଏହାରି ଆଧାରରେ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ମିଶାଇ ଏକ ଭୋଟର ତାଲିକା ପ୍ରସ୍ତୁତ କରାଯିବ ।
ଆୟୋଗଙ୍କ କହିବା କଥା ନିର୍ବାଚନ ପୂର୍ବରୁ ରିଟର୍ଣ୍ଣିଂ ଅଫିସର ଓ ସହାୟକ ରିଟର୍ଣ୍ଣିଂ ଅଫିସ ଉପରେ ନିଷ୍ପତ୍ତି ନିଆଯିବ । ଏହା ବାଦ୍ ପୂର୍ବରୁ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନ ସଂପର୍କିତ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯିବ । ଉଲ୍ଲେଖନୀୟ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀଙ୍କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ସବୁଠୁ ଅଧିକ ଚର୍ଚ୍ଚା ରାଜ୍ୟସଭାରେ ଥିବା ଉପାଧ୍ୟକ୍ଷ ହରିବଂଶଙ୍କୁ ନେଇ ହେଉଛି । ବର୍ତ୍ତମାନ ରାଜ୍ୟସଭା ଓ ଲୋକସଭାର ମୋଟ୍ ସଦସ୍ୟ ସଂଖ୍ୟା ୭୮୬ । ଏନଡିଏ ପାଖରେ ରହିଛି ୪୨୨ ସାଂସଦ । ଯଦି ବିରୋଧୀ ପ୍ରାର୍ଥୀ ନ ଦିଅନ୍ତି ତେବେ ବିନା ନିର୍ବାଚନରେ ନୂତନ ଉପରାଷ୍ଟ୍ରପତି ଚୟନ କରାଯାଇପାରେ ।