ଉନ୍ନାଓ: ଉତ୍ତରପ୍ରଦେଶର ଉନ୍ନାଓରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ‘ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେ’ରେ ଟ୍ୟାଙ୍କର ଓ ଡବଲ ଡେକର ବସ୍ ଧକ୍କା ହୋଇଛି। ଏହି କାରଣରୁ ବସ୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡବଲ ଡେକର ବସ୍ (ୟୁପି ୯୫ଟି ୪୭୨୦) ବିହାରର ସୀତାମଢ଼ୀରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଭୋର ସକାଳ ପ୍ରାୟ ସାଢ଼େ ୪ଟାରେ ଉନ୍ନାଓର ବେହଟା ମୁଜାବର ଥାନା ଅଧୀନ ଗଢ଼ା ଗାଁ ନିକଟରେ ପହଞ୍ଚିଥିଲା। ସେହି ସମୟରେ ଦ୍ରୁତଗତିରେ ଆସୁଥିବା ଦୁଗ୍ଧ ବୋଝେଇ ଟ୍ୟାଙ୍କର ଓଭରଟେକ୍ କରୁଥିଲା। ଏହି ସମୟରେ ବସ୍ ସହିତ ଟ୍ୟାଙ୍କର ଧକ୍କା ହୋଇଥିଲା।
ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା। ଡବଲ ଡେକର ବସ୍ ଦୁର୍ଘଟଣାଗ୍ରସ୍ତ ହେଲା ପରେ ଏକାଧିକ ଥର ଓଲଟିପଡ଼ିଥିଲା। ଏହି ଘଟଣା ସଂପର୍କରେ ସୂଚନା ପାଇ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଥିଲେ।
ଦୁର୍ଘଟଣା ସଂପର୍କରେ ସୂଚନା ପାଇ ବାଙ୍ଗରମଉର ଇନ୍ସପେକ୍ଟର ବ୍ୟାପକ ପୁଲିସ ଟିମ୍ ସହିତ ଘଟଣା ସ୍ଥଳକୁ ପହଞ୍ଚି ଥିଲେ। ସେ ଆହତମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ବ୍ୟବସ୍ଥା କରାଇଥିଲେ। ତେବେ ଡାକ୍ତରଖାନାରେ ୧୮ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି।