ନୂଆଦିଲ୍ଲୀ: ଭାରତର ପ୍ରଧ।ନ ବିଚାରପତି(ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ସାମ୍ନାରେ ଓକିଲ ନିଜ ସହିତ ମାରପିଟ ପ୍ରସଙ୍ଗ ଉଠାଇଛନ୍ତି । ଓକିଲ ସିଜେଆଇଙ୍କୁ ଜଣାଇଛନ୍ତି ଯେ, କୋର୍ଟରେ ଅନ୍ୟ ପକ୍ଷର ଲୋକ ତାଙ୍କୁ ମାଡ ମାରିଛନ୍ତି । ଆଉ ଏସବୁ ଘଟଣା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ସାମ୍ନାରେ ଘଟିଥିଲା । ଏହା ଉପରେ ସିଜେଆଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଦାଲତରେ ଏହି ପ୍ରକାରର ଗୁଣ୍ଡାରାଜ ଚଳିବ ନାହିଁ ବୋଲି କହିଛନ୍ତି ।
ଓକିଲ ସୁପ୍ରିମକୋର୍ଟରେ କହିଛନ୍ତି, ମୁଁ ଏଡିଜେ ହରଜିତ ସିଂ ପାଲଙ୍କ ଅଦାଲତ ତିସ ହଜାରି କୋର୍ଟରେ ହାଜର ହୋଇଥିଲି । ମୁଁ ଅଭିଯୁକ୍ତଙ୍କ ପକ୍ଷରୁ କୋର୍ଟରେ ମାମଲା ଲଢୁଥିଲି । ଏହି ସମୟରେ ଅଭିଯୋଗକାରୀ ଓ ତାଙ୍କର କିଛି ଗୁଣ୍ଡାମାନେ ମୋ ଉପରେ ହମଲା କରିଥିଲେ । ମୋତେ ମାଡ ମାରିଲେ । ଆଉ ଜଜଙ୍କ ସାମ୍ନାରେ ସବୁ ଘଟିଥିଲା । ଜଜ ସେମିତି ବସି ରହିଥାନ୍ତି । କୋର୍ଟର ସମସ୍ତ ସଦସ୍ୟ ମଧ୍ୟ ସେଠାରେ ବସିଥିଲେ । କୋର୍ଟ ରୁମରେ କବାଟ ବନ୍ଦ କରାଯାଇ ତାଙ୍କୁ ମାଡ ମରାଗଲା ।
ପ୍ରଧାନବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ପୀଠ ଓକିଲଙ୍କୁ ଅଭିଯୋଗ ଦାଖଲ କରିବାକୁ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଏହି ସମ୍ବନ୍ଧରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ଅଭିଯୋଗ ରଖାଯାଉ ଏବଂ ଏଥିରେ ସଭିଙ୍କ ନାଁ ସାମିଲ କରାଯାଉ । ସିଜେଆଇ କହିଛନ୍ତି, ଏହା ସବୁ ଫେବୃଆରୀ ୭ ତାରିଖରେ ଘଟିଲା । କଣ ଆପଣ ଏହାର ସୂଚନା ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଦେଇଛନ୍ତି ?
ସିଜେଆଇ କହିଛନ୍ତି ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖନ୍ତୁ ଏବଂ ମୋ ନାଁ ବି ସେଥିରେ ରଖନ୍ତୁ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମାମଲାର ଫଇସଲା କରିବାକୁ ଦିଆଯାଉ । ପ୍ରଶାସନିକ ପକ୍ଷ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ପରି ଗୁଣ୍ଡାରାଜ ସ୍ୱୀକାର କରାଯାଇ ପାରିବ ନାହିଁ । ଏମିତି ହେଲେ ତ ଆଇନ ବ୍ୟର୍ଥ ।
Also read: ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ କ୍ଷୁବ୍ଧ ବିରୋଧୀ, ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାଲିଛି ପ୍ରସ୍ତୁତି