ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ମୋର୍ଚ୍ଚା ଖୋଲିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଖବର ଅନୁଯାୟୀ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରେ । ଅନେକ ବିରୋଧୀ ଦଳ ଏହାକୁ ନେଇ ସହମତି ପ୍ରକାଶ କରିଥିବା କୁହାଯାଉଛି । କିନ୍ତୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ବିରୋଧୀ ପକ୍ଷରୁ ଦିଆଯାଇ ନାହିଁ । ସୋମବାର ମଧ୍ୟ ହଟ୍ଟଗୋଳ କାରଣରୁ ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା ।
ଏଏନଆଇ ଅନୁଯାୟୀ, ବିରୋଧୀ ଦଳ ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଛନ୍ତି । ଏହାକୁ ନେଇ ଅଧିକାଂଶ ବିରୋଧୀ ଏକଜୁଟ ଅଛନ୍ତି ଏବଂ ଦସ୍ତଖତ ନେବା ବାକି ରହିଛି। ବର୍ତ୍ତମାନ କୌଣସି ପାର୍ଟି ଏହାକୁ ନେଇ ସାର୍ବଜନୀନ ଭାବେ କିଛି କହି ନାହାନ୍ତି । ଅନ୍ୟପଟେ ବଜେଟ୍ ଅଧିବେଶନରେ ହଙ୍ଗାମା ଜାରି ରହିଛି । ଗୋଟିଏ ପଟେ ବିରୋଧୀ ଅଭିଯୋଗ କରୁଛନ୍ତି ଯେ, ଗୃହରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉ ନାହିଁ । ଅନ୍ୟପଟେ ବିରୋଧୀ ଗୃହକୁ ଚଲାଇବାକୁ ଦେଉ ନ ଥିବା ଅଭିଯୋଗ କରିଛନ୍ତି ଏନଡିଏ ସାଂସଦ ।
ଲୋକସଭାରେ ଚାଲି ପାରିଲାନି ପ୍ରଶ୍ନକାଳ
ଲୋକସଭାରେ ସୋମବାର କଂଗ୍ରେସ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହରେ ପ୍ରଶ୍ନକାଳ ଚାଲି ପାରିଲା ନାହିଁ । ବୈଠକ ଆରମ୍ଭ ହେବାର ୫ ମିନିଟ୍ ପରେ ଦିନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । ଲୋକସଭାରେ ବୈଠକ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ ବିର୍ଲା ୧୯ ବର୍ଷରୁ କମ ବିଶ୍ୱକପ୍ ବିଜେତା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ସାଂସଦମାନେ ମଧ୍ୟ ଟେବୁଲରେ ହାତ ବାଡେଇ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ତତ୍କାଳୀନ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ବିରୋଧରେ ମଧ୍ୟ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ହେଲେ ଏହା କାଟ୍ ଖାଇ ଯାଇଥିଲା । ଏବେ ଲୋକସଭାରେ ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବିରୋଧୀ ଅଣ୍ଟା ଭିଡିଛନ୍ତି ।
Also read: ବିଜେପିର ‘ଅଚ୍ଛେ ଦିନ’ ଆରଏସଏସ କାରଣରୁ ଆସିଛି, ରାମ ମନ୍ଦିର ଆନ୍ଦୋଳନର ମିଳିଲା ଫାଇଦା: ମୋହନ ଭାଗବତ