ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚି ସାରିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ କାର୍ଯ୍ୟାଳୟ ଓ ପ୍ରାଇଭେଟ୍ ଦପ୍ତରରେ ୫୦ ପ୍ରତିଶତ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅବଶିଷ୍ଟ ୫୦ ପ୍ରତିଶତ କର୍ମଚାରୀ ଓ୍ଵାର୍କ ଫ୍ରମ ହୋମ କାମ କରିବାକୁ ଆଦେଶ ଦେଇଛନ୍ତି ରେଖା ଗୁପ୍ତାଙ୍କ ସରକାର। ପରିବେଶ ଅଧିନିୟମ ୧୯୮୬ର ଧାରା-୫ ଆଧାରରେ ରାଷ୍ଟ୍ରୀୟ ରାଜଧାନୀରେ ପରିଚାଳିତ ସମସ୍ତ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାଳୟ ଓ ପ୍ରାଇଭେଟ୍ କାର୍ଯ୍ୟାଳୟ ପାଇଁ ଜାରି କରାଯାଇଛି।
ସୋମବାର ଜାରି ଆଦେଶରେ କୁହାଯାଇଛି ଯେ, ବଢୁଥିବା ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି ଜିଆରପିଏର ତୃତୀୟ ପର୍ଯ୍ୟାୟ ହିସାବରେ ରାଜଧାନୀ ଦିଲ୍ଲୀ ପାଇଁ ଉପରୋକ୍ତ ଆଦେଶ ଜାରି କରାଯାଇଛି। ତେବେ ଏହି କଟକଣାରୁ ଅତ୍ୟାବଶ୍ୟକୀୟ ସେବା, ହସ୍ପିଟାଲ, ୟୁଟିଲିଟିଜ୍ ଏବଂ ପ୍ରଦୂଷଣ-ନିୟନ୍ତ୍ରଣ ଟିମଗୁଡ଼ିକୁ ମୁକ୍ତ ରଖାଯାଇଛି। ନିୟମର କଡା କଡ଼ା ଅନୁପାଳନ ତଦାରଖ କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦିଆଯାଇଛି।
ଦିଲ୍ଲୀର ବାୟୁ ଗୁଣବତ୍ତାମାନ ସାଂଘାତିକ ସ୍ଥିତିକୁ ଖସି ଆସିଛି। ଶୀତ ଋତୁରେ ପ୍ରଦୂଷଣ ସ୍ତର - ବିଶେଷକରି PM2.5 ଏବଂ PM10 - ନିର୍ଦ୍ଧାରିତ ମାନଦଣ୍ଡ ଉଲ୍ଲଂଘନ କରି ଆସିଛି। ୧୯୮୭ ମସିହାରୁ ଦିଲ୍ଲୀକୁ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ର ଭାବରେ ଅଧିସୂଚିତ କରାଯାଇଛି। କର୍ତ୍ତୃପକ୍ଷ ବାୟୁ ମାନ ପରିଚାଳନା ଆୟୋଗ (CAQM)ର ନିର୍ଦ୍ଦେଶ ପରେ ଅକ୍ଟୋବର ମଧ୍ୟଭାଗରୁ GRAP ର କ୍ରମାଗତ ପର୍ଯ୍ୟାୟ ଆରମ୍ଭ କରିଛନ୍ତି।