ନୂଆଦିଲ୍ଲୀ: କଂଗ୍ରେସ ଘରୋଇ ଶିକ୍ଷାନୁଷ୍ଠାନରେ ଜାତିଗତ ସଂରକ୍ଷଣ ଦେବାକୁ ଦାବି କରିଛି । କଂଗ୍ରେସର ସଞ୍ଚାର ସେଲର ପ୍ରମୁଖ ଜୟରାମ ରମେଶ ସୋମବାର ଏହି ଦାବି କରିଛନ୍ତି । ସେ ସଂସଦୀୟ କମିଟିର ସୁପାରିଶର ସମର୍ଥନ କରି କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୧୫(୫) ଆଧାରରେ ଘରୋଇ ଶିକ୍ଷାନୁଷ୍ଠାନରେ ଓବିସି, ଏସସି ଓ ଏସଟି ବର୍ଗକୁ ସଂରକ୍ଷଣ ଦିଆଯାଉ ।
ଉଲ୍ଲେଖନୀୟ ପ୍ରାୟ ୨୦ ବର୍ଷ ପୂର୍ବେ ସମ୍ବିଧାନ ସଂଶୋଧନ ପରେ ମଧ୍ୟ ତତ୍କାଳୀନ ୟୁପିଏ-୧ ସରକାର ଏଥିରେ ପଛଘୁଞ୍ଚା ଦେଇଥିଲା । ସରକାରଙ୍କ ନେତୃତ୍ୱ କଂଗ୍ରେସ ଦଳ କରୁଥିଲା । ୟୁପିଏ ସରକାର ଅମଳରେ ହିଁ ସମ୍ବିଧାନରେ ୯୩ତମ ସଂଶୋଧନ ହୋଇଥିଲା, ଯେଉଁଥିରେ ଅନୁଚ୍ଛେଦ ୧୫(୫) ଲାଗୁ କରାଯାଇଥିଲା ।
ୟୁପିଏ ସରକାର ୨୦୦୬ରେ ଏହି ପ୍ରାବଧାନ ଆଧାରରେ ସେଣ୍ଟ୍ରାଲ ଏଜୁକେସନ ଇନଷ୍ଟିଚ୍ୟୁସନ ଆକ୍ଟ ପାରିତ କରିଥିଲା । ଏହା ଜରିଆରେ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ କରାଯାଇଥିଲା । ମାତ୍ର ଘରୋଇ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇ ନ ଥିଲା । ଜୟରାମ ରମେଶ କହିଛନ୍ତି, ୨୦୦୮ରେ ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଆଉ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ କାଏମ ରଖିଥିଲେ । ଅଦାଲତ ଏହା ମଧ୍ୟ କହିଥିଲେ ଯେ, ଘରୋଇ ଅଣ ସହାୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖା ପ୍ରଶ୍ନ ଉପରେ ହିଁ କିଛି ବିଚାର କରାଯାଇ ପାରିବ ।
ଏବେ ଦୁଇ ଦଶନ୍ଧି ପରେ କଂଗ୍ରେସ ଘରୋଇ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଦାବି ଉଠାଇଛି । କିନ୍ତୁ ନିଜ ଅମଳରେ ଦଳ ନିରବ ରହିଥିଲା । କଂଗ୍ରେସ ଏବେ ବୟାନ ଜାରି କରି କହିଛି ଯେ, ଅଦାଲତଙ୍କ ନିଷ୍ପତ୍ତିରେ ସ୍ପଷ୍ଟ ଯେ, ଏସସି, ଏସଟି ଓ ଓବିସି ବର୍ଗର ଲୋକଙ୍କୁ ସାମ୍ବିଧାନିକ ଭାବେ ଘରୋଇ ସଂସ୍ଥାରେ ସଂରକ୍ଷଣ ମିଳି ପାରିବ ।
ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ ସଂରକ୍ଷଣ ପ୍ରତିଶ୍ରୁତି ଦେଇଥିଲା । ଏବେ ସଂସଦୀୟ କମିଟି ଏହି ସଂରକ୍ଷଣକୁ ସୁପାରିଶ କରିଛି । ଆଉ କଂଗ୍ରେସ ଏହି ପ୍ରସଙ୍ଗକୁ ମୁଖରତାର ସହ ଉଠାଇଛି । ସଂସଦୀୟ କମିଟିର ଅଧ୍ୟକ୍ଷତା କଂଗ୍ରେସ ସାଂସଦ ଦିଗବିଜୟ ସିଂ କରୁଛନ୍ତି । ବର୍ତ୍ତମାନ ଦେଶର କୌଣସି ବି ଘରୋଇ ଶିକ୍ଷାନୁଷ୍ଠାନରେ ଜାତିଗତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇ ନାହିଁ । ବିଶେଷଜ୍ଞଙ୍କ ମତରେ କେବଳ ଅନୁଚ୍ଛେଦ ୧୫(୫) ଭରସାରେ ସଂରକ୍ଷଣ ଲାଗୁ କରାଯାଇ ପାରିବ ନାହିଁ । ଏଥିପାଇଁ ଆଉ ଏକ ଆଇନର ଆବଶ୍ୟକତା ରହିଛି, ଯିଏ ଏହାର ସମର୍ଥନ କରୁଥିବ ।