ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଉଠିଥିଲା । ଏହା ପରେ ଭାରତ ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ସ୍ଥିତ ୯ଟି ଆତଙ୍କୀ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ କରି ଧ୍ୱଂସ କରିଥିଲା । ଭାରତର ପ୍ରତିଶୋଧ ଦେଖି ବିଚଳିତ ପାକିସ୍ତାନ ଭାରତର ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଡ୍ରୋନ ହମଲା କରିଥିଲା । ଭାରତର ଏହା ମୁହଁତୋଡ ଜବାବ ଦେଇଥିଲା । ଫଳରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉତ୍ପନ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ଣ୍ଣ ଯୁଦ୍ଧ ବଦଳରେ ସନ୍ତୁଳିତ ଓ ରଣନୀତି ଭାବେ ସଠିକ ଜବାବ ଦେଇଛନ୍ତି । ଏହାର ଖୁବ୍ ପ୍ରଶଂସା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହ ମନ୍ତ୍ରୀ ପି ଚିଦାମ୍ବରମ । ସେ ଇଣ୍ଡିଆନ ଏକ୍ସପ୍ରେସରେ ଲେଖିଥିବା ଏକ ଆଲେଖ୍ୟରେ ମୋଦୀ ସରକାରଙ୍କ ଯୁଦ୍ଧ ନୀତିର ପ୍ରଶଂସା କରିଛନ୍ତି ।
ପି ଚିଦାମ୍ବରମ ଲେଖିଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ୨୦୨୨ ସେପ୍ଟେମ୍ବର ୧୬ ତାରିଖରେ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ରାଷ୍ଟ୍ରପତି ପୁଟିନଙ୍କୁ କହିଥିଲେ, ଏହା ଯୁଦ୍ଧର ଯୁଗ ନୁହେଁ । ଏହି ବକ୍ତବ୍ୟକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଇଥିଲା । ଭାରତ ନିଜର ଛବିକୁ ଏକ ଶାନ୍ତିପ୍ରିୟ ରାଷ୍ଟ୍ର ଭାବେ ମଜବୁତ କରିଥିଲା । ଏହି ଚିନ୍ତାଧାରାକୁ ଭାରତ ଏଥର ମଧ୍ୟ କାଏମ ରଖିଛି ।
୨୦୨୫ ମେ ୭ ତାରିଖରେ ଭାରତୀୟ ସେନା ସୀମିତ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନ ଓ ପିଓକେରେ ମୋଟ୍ ୯ ଆତଙ୍କୀ ଶିବିରକୁ ନଷ୍ଟ କରିଥିଲା । ଏହି ହମଲାରେ ଆତଙ୍କବାଦୀ ସଂଗଠନର ଦ ରେଜିଷ୍ଟାନ୍ସ ଫୋର୍ସ(ଟିଆରଏଫ), ଲସ୍କର ଏ ତୋଇବା(ଏଲଇଟି) ଓ ଜୈଶ ଏ ମହମ୍ମଦ(ଜେଇଏମ)ର ଭିତ୍ତିଭୂମିକୁ ଧ୍ୱଂସ କରାଗଲା ।
ଭାରତର ଏହି କାର୍ଯ୍ୟାନୁଷ୍ଠାନରେ କୌଣସି ନାଗରିକ କିମ୍ବା ପାକିସ୍ତାନର ସାମରିକ ଭିତ୍ତିଭୂମିକୁ ନଷ୍ଟ କରାଯାଇ ନ ଥିଲା । ଏଥିରେ ସ୍ପଷ୍ଟ ସନ୍ଦେଶ ଦିଆଯାଇଥିଲା ଯେ, ଭାରତ ଯୁଦ୍ଧ ନୁହେଁ, କିନ୍ତୁ ନ୍ୟାୟ ଚାହୁଁଛି । ମେ ୮ରେ ପାକିସ୍ତାନ ମିସାଇଲ ଓ ଡ୍ରୋନ ଜରିଆରେ ଭାରତ ଉପରେ ହମଲା କରିଥିଲା । ଆଉ ଭାରତ ବେଶ ପ୍ରଭାବୀ ଭାବେ ଜବାବ ଦେଇଥିଲା ।
ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ଏହା ମାନିବା ଭୁଲ ଯେ, ଆତଙ୍କୀ ସଂଗଠନ ସଂପୂର୍ଣ୍ଣ ଭାବେ ମାପ୍ତ ହୋଇଗଲା । ଏହି ସଂଗଠନର ନେତୃତ୍ୱ ନେଉଥିବା ଆତଙ୍କୀ ଏବେ ବି ସକ୍ରିୟ ଅଛି ଏବଂ ପାକିସ୍ତାନରେ ଲଗାତାର ସମର୍ଥନ ଦିଆଯାଉଛି । ଯେ ପର୍ଯ୍ୟନ୍ତ ପାକିସ୍ତାନର ସେନା ଓ ଆଇଏସଆଇ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବେ, ଭାରତ ପାଇଁ ିବିପଦ ଲାଗି ରହିବ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅମଳରେ ଏ ପର୍ଯ୍ୟନ୍ତ କାଶ୍ମୀରରେ ତିନି ବଡ ଆତଙ୍କୀ ହମଲା ହୋଇଛି । ଉରି, ପୁଲୱାମା ଓ ଏବେ ପହଲଗାମ । ଆଉ ପ୍ରତିଥର ସରକାର ସୀମିତ କିନ୍ତୁ ନିର୍ଣ୍ଣାୟକ ଜବାବ ଦେଇଛନ୍ତି । ଏଥର ସରକାର ନକ୍ସା ଓ ଭିଡିଓ ଜାରି କରି ପାରଦର୍ଶିତାର ପରିଚୟ ଦେଇଛନ୍ତି । ଦୁଇ ଯୁବ ମହିଳା ସୈନ୍ୟ ଅଧିକାରୀଙ୍କୁ ସାମ୍ବାଦିକ ସମ୍ମିଳନୀରେ ସାମଲ କରିବା ଏହି ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ଥିଲା ।