ଗ୍ୱାଲିୟର: ମଧ୍ୟପ୍ରଦେଶର ଗ୍ବାଲିୟରରେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଦେଖିବାକୁ ମିଳିଛି। ଦ୍ରୁତଗତିରେ ଯାଉଥିବା ଏକ କାର ଅନିୟନ୍ତ୍ରିତ ହୋଇ କାଉଡ଼ିଆମାନଙ୍କ ଉପରେ ଚଢ଼ି ଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଏହି ଦୁର୍ଘଟଣା ଗ୍ୱାଲିୟର-ଶିବପୁରୀ ଲିଙ୍କ ରୋଡର ଶୀତଳା ମାତା ମନ୍ଦିର ଛକ ନିକଟରେ ଘଟିଥିଲା। ଦୁର୍ଘଟଣା ପରେ କାଉଡ଼ିଆମାନଙ୍କ ପରିବାର ମଧ୍ୟ ଘଟଣାସ୍ଥଳରେ ଏକାଠି ହୋଇ ରାଜପଥ ଅବରୋଧ କରିଥିଲେ।
ପୋଲିସର ସୂଚନା ଅନୁଯାୟୀ କାରଟି ୬ ଜଣ କାଉଡ଼ିଆଙ୍କୁ ଚାପି ଦେଇ ଖାଳରେ ପଡ଼ିଯାଇଥିଲା। ଏହି ସମୟରେ କାର ତଳେ ଫସି ରହିଥିବା ଏକ ମୃତଦେହ ମିଳିଥିଲା। ପୋଲିସ କାରକୁ ଓଲଟାଇ ଦେବା ସମୟରେ ମୃତଦେହଟି ଗୁରୁତର ଭାବରେ ଚାପି ହୋଇଯାଇଥିଲା। ପୋଲିସ କୌଣସି ପ୍ରକାରେ ଯୁବକଙ୍କ ମୃତଦେହକୁ ବାହାର କରିଥିଲେ।