ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟରୁ ଆନୁଷ୍ଠାନିକ ଭାବେ ବିଦାୟ ନେଇଛନ୍ତି । ଶୁକ୍ରବାର ତାଙ୍କ କାର୍ଯ୍ୟ ଦିବସର ଶେଷ ଦିନ ଥିଲା ସେ ନଭେମ୍ବର ୧୦ରୁ ନିଜ ପଦରୁ ଅବସର ନେବାକୁ ଯାଉଛନ୍ତି । ତାଙ୍କ ପରେ ବିଚାରପତି ସଞ୍ଜୀବ ଖନ୍ନା ନଭେମ୍ବର ୧୧ରୁ ନୂତନ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଉଲ୍ଲେଖନୀୟ ଅବସର ନେବା ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ଅଦାଲତରେ କାମ କରି ପାରିବେ ନାହିଁ । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୨୪(୭) ଅନୁସାରେ, ଏହି ନିୟମ ଏଥିପାଇଁ ତିଆରି କରାଯାଇଛି, ଯଦ୍ୱାରା ଜଜ ନିରପେକ୍ଷ ରହି ପାରିବେ ଓ ଜନତାଙ୍କ ବିଶ୍ୱାସ ନ୍ୟାୟପାଳିକା ଉପରେ ରହିବ ।
ଅବସର ନେବା ପରେ ସିଜେଆଇ ଓ ସୁପ୍ରିମକୋର୍ଟର ଜଜ ନିଜର ଅନୁଭବ ଓ ଜ୍ଞାନର ଉପଯୋଗ ସମାଜରେ ଅନ୍ୟ ରୂପରେ କରି ପାରିବେ । ବିଶେଷ କରି ମଧ୍ୟସ୍ଥତା ଓ ସମାଧାନ ମାମଲାରେ ନିଜର ସେବା ଦେଇ ପାରିବେ, ଯାହା ଫଳରେ ଆଇନଗତ ବିବାଦର ସମାଧାନ ସୁରୁଖୁରୁରେ ହୋଇ ପାରିବ । ଏହା ବ୍ୟତୀତ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ କିମ୍ବା ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲ ପରି ମହତ୍ୱପୂର୍ଣ୍ଣ ଆୟୋଗରେ ରିଟାୟର୍ଡ ଜଜଙ୍କୁ ନିଯୁକ୍ତି କରାଯାଇ ପାରିବ ।
ଏପରିକି ଅବସରପ୍ରାପ୍ତ ବିଚାରପତି ଆଇନ ବିଭାଗର ଛାତ୍ର-ଛାତ୍ରୀଙ୍କୁ ଶିକ୍ଷାଦାନ ଦେବା, ଲେକଚର ଓ ଆଇନ ଉପରେ ଲେଖିବା କାମ ମଧ୍ୟ କରି ପାରିବେ । ଏହା ବ୍ୟତୀତ କିଛି ଅବସରପ୍ରାପ୍ତ ବିଚାରପତିଙ୍କୁ ରାଜ୍ୟପାଳ କିମ୍ବା ଅନ୍ୟ ସରକାରୀ କମିଟିରେ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଏ । ତେବେ ଦେଖିବା ବାକି ରହିଲା ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ କେଉଁ କାର୍ଯ୍ୟରେ ମନୋନିବେଶ କରିବେ ।
ଅନ୍ୟ କିଛି କ୍ଷେତ୍ରରେ ଅବସରପ୍ରାପ୍ତ ଜଜଙ୍କୁ ସଂସଦ ମଧ୍ୟ ପଠାଯାଇଛି । ଯାହା ଫଳରେ ନ୍ୟାୟପାଳିକାର ନିରପେକ୍ଷତା ଉପରେ ବି ପ୍ରଶ୍ନ ଉଠିଛି । ଉଦାହରଣ ସ୍ୱରୂପ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ ଅବସର ପରେ କେନ୍ଦ୍ର ସରକାର ରାଜ୍ୟସଭାକୁ ପଠାଇଥିଲେ । ଏହାକୁ ନେଇ ନ୍ୟାୟପାଳିକାର ସ୍ୱାଧୀନତାକୁ ନେଇ ବିତର୍କ ଆରମ୍ଭ ହୋଇଥିଲା ।