ଦେଓଘର: ଶ୍ରାବଣ ମାସରେ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଯାତ୍ରା ମଧ୍ୟରେ ମଙ୍ଗଳବାର ପୂର୍ବାହ୍ଣରେ ଏକ ବଡ଼ଧରଣର ଦୁଃଖଦ ଘଟଣା ଘଟିଛି। ଝାଡ଼ଖଣ୍ଡର ବାବା ବୈଦ୍ୟନାଥ ଧାମରେ ଚାଲିଥିବା କାଉଡ଼ିଆ ଯାତ୍ରା ସମୟରେ ଏକ ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ଦେଓଘର-ବାସୁକିନାଥ ମୁଖ୍ୟ ରାସ୍ତାର ଜାମୁନିଆ ଛକ ନିକଟରେ କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ବସ୍ ସହିତ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଁ। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଲେଖାଯିବା ବେଳକୁ ଏହି ଦୁର୍ଘଟଣାରେ ଅତି କମରେ ୧୮ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖଶନାରେ ଭର୍ତ୍ତି କରାଯାଇଛି।
ଘଟଣା ଜଣାପଡିବା ମାତ୍ରେ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଆମ୍ବୁଲାନ୍ସର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ଦେଓଘରର ବିଭିନ୍ନ ହସ୍ପିଟାଲ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଜିଲ୍ଲା ପ୍ରଶାସନ ଦ୍ୱାରା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଭକ୍ତମାନେ 'ବୋଲ ବମ୍' ଧ୍ୱନି ସହିତ ବାବା ବୈଦ୍ୟନାଥ ଧାମ ଆଡକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହି ଭୟଙ୍କର ଧକ୍କା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
ସାଂସଦ ନିଶିକାନ୍ତ ଦୁବେ ଟ୍ୱିଟ୍ କରି କହିଛନ୍ତି ଯେ 'ମୋ ଲୋକସଭାର ଦେଓଘରରେ ଶ୍ରାବଣ ମାସରେ କାଉଡ଼ିଆ ଯାତ୍ରା ସମୟରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟି ୧୮ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ବାବା ବୈଦ୍ୟନାଥ ଜୀ ସେମାନଙ୍କ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ।'
ଅଧିକ ପଢ଼ନ୍ତୁ: ନ୍ୟୁୟର୍କରେ ଅତର୍କିତ ଗୁଳି ଚଳାଇଲା ଦୁର୍ବୃତ୍ତ