ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ଗାଜାରେ ଇସ୍ରାଏଲର ସୈନ୍ୟ ଅଭିଯାନକୁ ନରସଂହାର ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଉପରେ ବଡ ପ୍ରହାର କରିଛନ୍ତି । ସେ କହିଛନ୍ତି ମାନବୀୟ ସଙ୍କଟ ସାମ୍ନାରେ ସରକାରଙ୍କ ମୁକ ଦର୍ଶକ ହୋଇ ରହିବା ଭାରତର ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ବିଶ୍ୱାସଘାତକ । ଗାଜା ଉପରେ ଇସ୍ରାଏଲର ଅତ୍ୟାଚାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଲଜ୍ଜାଜନକ ନିରବତା ନିରାଶଜନକର ପରାକାଷ୍ଠା ।
ସୋନିଆ ଗାନ୍ଧୀ ଏକ ହିନ୍ଦୀ ଦୈନିକ ଖବର କାଗଜରେ ଲେଖିଛନ୍ତି ଯେ, ଏବେ ସମୟ ଉପନ୍ନୀତ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଓ ସାହସିକ ଶବ୍ଦରେ ସ୍ୱର ଉଠାନ୍ତୁ । ସୋନିଆ ଲେଖିଛନ୍ତି, ୨୦୨୩ ଅକ୍ଟୋବରରେ ଇସ୍ରାଏଲରେ ନିର୍ଦ୍ଦୋଷ ପୁରୁଷ, ମହିଳା ଓ ଶିଶୁଙ୍କ ଉପରେ ହମାସ ଦ୍ୱାରା କରାଯାଇଥିବା ବର୍ବର ହମଲା କିମ୍ବା ପରବର୍ତ୍ତୀ ସମୟରେ ଇସ୍ରାଏଲୀ ଲୋକଙ୍କୁ ଲଗାତାର ବନ୍ଧକ ରଖାଯିବାକୁ ଅନୁଚିତ୍ ଦର୍ଶାଇଛନ୍ତି ।
ସେ କହିଛନ୍ତି, ବାରମ୍ବାର ବିନା କୌଣସି ସର୍ତ୍ତରେ ଏମିତି ଘଟଣାର ନିନ୍ଦା କରିବା ଉଚିତ୍ । ମାତ୍ର ଅନ୍ତର୍ଜାତୀୟ ସମୁଦାୟର ସଦସ୍ୟ ଏବଂ ଜଣେ ମଣିଷ ଭାବେ ଆମକୁ ଗାଜା ଉପରେ ଇସ୍ରାଏଲ କରୁଥିବା ଅତ୍ୟାଚାର ଓ ବର୍ବରତାକୁ ପୂର୍ଣ୍ଣ କଣ୍ଠରେ ନିନ୍ଦାଦ କରିବା ଦରକାର । ଗତ ପାଖାପାଖି ଦୁଇ ବର୍ଷରେ ୫୫ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟି ସାରିଛି । ଏଥିରେ ୧୭ ହଜାର ଶିଶୁ ବି ସାମିଲ ।
ସୋନିଆ କହିଛନ୍ତି, ଫ୍ରାନ୍ସ ପାଲେଷ୍ଟାଇନକୁ ରାଷ୍ଟ୍ରର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛି । ବ୍ରିଟେନ, କାନାଡା ପରି ଦେଶ ଗାଜାରେ ଆକ୍ରମଣ କରୁଥିବା ଇସ୍ରାଏଲର ନେତାଙ୍କ ଉପରେ କଟକଣା ଲଗାଇଛି, ଏମିତି ମାନବୀୟ ସଙ୍କଟରେ ସମଗ୍ର ଦୁନିଆରେ ଉଠୁଥିବା ବୈଶ୍ୱିକ ଚେତନା ମଧ୍ୟରେ ଏହା ଏକ ରାଷ୍ଟ୍ରୀୟ ଲଜ୍ଜିତ କଥା ଯେ, ଭାରତ ଏହି ମାନବତର ଅପମାନ ସମୟରେ ମୁକ ଦର୍ଶକ ସାଜିଛି ।