ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ଦିଲ୍ଲୀ ଏନସିଆରଠାରୁ ଆରମ୍ଭ କରି ସମଗ୍ର ସହର ବର୍ତ୍ତମାନ ଜଳାର୍ଣ୍ଣବ । ସେପଟେ ବର୍ଷା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ କମ୍ପାନୀ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଦିଲ୍ଲୀରେ ମଙ୍ଗଳବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଫଳରେ ସହର ବିଭିନ୍ନ ସ୍ଥାନରେ ଡ୍ରେନ୍ ଭରିଯାଇଥିବାବେଳେ ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଏନସିଆର ଠାରୁ ଆରମ୍ଭ କରି ନଏଡ଼ା ଯାଏଁ ସବୁଠି ଜଳାର୍ଣ୍ଣବ। ଆଇଟିଓ, ଧୌସା କୁଆଁ, ନରୈନା, ପଟେଲ୍ ନଗର, ବିଜୟ ଚୌକ, ଜଙ୍ଗପୁରା ଓ ରୌହିଣୀ ନଗର ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଚି । ଜଳବନ୍ଦୀ ସମସ୍ୟା ଯୋଗୁଁ ଦିଲ୍ଲୀ ଟ୍ରାଫିକ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ସେହିପରି ବର୍ଷା ଏବଂ ପବନ ଯୋଗୁଁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଯାତ୍ରା ଆରମ୍ଭ କରିବା ପୂର୍ବରୁ ବିମାନ ସମୟ ବିଷୟରେ ଯାଞ୍ଚ କରିବାକୁ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛି । ସେହିପରି ଇଣ୍ଡିଗୋ ଓ ସ୍ପାଇସ୍ ଜେଟ୍ ମଧ୍ୟ ପ୍ରବଳ ବର୍ଷାକୁ ଦେଖି ନିର୍ଦ୍ଦେଶନାମା ଜାରି କରିଛି ।