ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱାରା ପଠାଯାଇଥିବା ଏକ ମହତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ରାଷ୍ଟ୍ରପତି ପ୍ରଶ୍ନ କରିଛନ୍ତି ଯେ, କଣ ନ୍ୟାୟପାଳିକା ରାଜ୍ୟ ବିଧାନସଭା ଦ୍ୱାରା ଗୃହୀତ ବିଧେୟକକୁ ସ୍ୱୀକୃତି ଦେବା ପାଇଁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ସମୟ ସୀମା ନିର୍ଦ୍ଧାରିତ କରି ପାରିବ । ଏହି ମାମଲାର ଶୁଣାଣି ପାଞ୍ଚ ଜଣିଆ ଜଜଙ୍କ ସାମ୍ବିଧାନିକ ପୀଠ କରିବେ । ପୀଠର ଅଧ୍ୟକ୍ଷତା କରିବେ ପ୍ରଧାନ ବିଚାରପତି ବିଆର ଗବାଇ । ହେଲେ ତାମିଲନାଡୁ ଓ କେରଳ ରାଜ୍ୟ ସରକାର ରାଷ୍ଟ୍ରପତିଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର କଡା ବିରୋଧ କରିଛନ୍ତି ।
ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲାର ଶୁଣାଣି ଅଗଷ୍ଟ ୧୯ରୁ ଆରମ୍ଭ ହେବ । କୋର୍ଟ ସମସ୍ତ ପକ୍ଷଙ୍କୁ ଅଗଷ୍ଟ ୧୨ ତାରିଖ ସୁଦ୍ଧା ନିଜର ଲିଖିତ ଦଲିଲ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ସିଜେଆଇ ଗବାଇ ନିଜ ଆଦେଶରେ କହିଛନ୍ତି, ରାଷ୍ଟ୍ରପତିଙ୍କ ପ୍ରଶ୍ନର ସମର୍ଥନ କରୁଥିବା ପକ୍ଷଙ୍କ ଶୁଣାଣି ଅଗଷ୍ଟ ୧୯, ୨୦, ୨୧ ଓ ୨୬ ତାରିଖ ହେବ । ଆଉ ଏହାର ବିରୋଧ କରୁଥିବା ପକ୍ଷଙ୍କ ଶୁଣାଣି ଅଗଷ୍ଟ ୨୮, ସେପ୍ଟେମ୍ବର ୩, ୪ ଓ ସେପ୍ଟେମ୍ବର ୯ ତାରିଖ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି କୌଣସି ଜବାବ ଦଲିଲ ରହିବ ତେବେ ଏହା ଉପରେ ସେପ୍ଟେମ୍ବର ୧୦ ତାରିଖ ଶୁଣାଣି କରାଯିବ । ଶୁଣାଣି ପାଇଁ ଧାର୍ଯ୍ୟ ଏହି ସମୟସୀମାକୁ କଠୋରତରା ସହ ପାଳନ କରାଯିବ । ଓକିଲଙ୍କୁ ନିଜର ତର୍କ ନିର୍ଦ୍ଧାରିତ ସମୟ ସୀମା ଭିତରେ ସମାପ୍ତ କରିବାର ଯଥା ସମ୍ଭବ ପ୍ରୟାସ କରିବାକୁ ପଡିବ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନର ଅନୁଚ୍ଛେଦ ୧୪୩(୧)ର ଆଧାରରେ ସୁପ୍ରିମକୋର୍ଟକୁ ଏକ ଚିଠା ପଠାଇଥିଲେ । ଏଥିରେ ୧୪ଟି ପ୍ରଶ୍ନ ଉଠାଯାଇଛି । ଏହି ପ୍ରଶ୍ନ ସେହି ସଂଦର୍ଭରେ ପଚରା ଯାଇଛି, ଯେବେ ୨୦୨୫ ଏପ୍ରିଲରେ ସୁପ୍ରିମକୋର୍ଟ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ବିଧେୟକ ଉପରେ ନିର୍ଣ୍ଣୟ ନେବା ପାଇଁ ସମୟସୀମା ନିର୍ଦ୍ଧାରିତ କରିଥିଲେ । କୋର୍ଟ କହିଥିଲେ, ଅନୁଚ୍ଛେଦ ୨୦୦ ଆଧାରରେ ରାଜ୍ୟପାଳଙ୍କ ନିଷ୍କ୍ରିୟତା ନ୍ୟାୟିକ ସମୀକ୍ଷା ପରିଧିରେ ଆସୁଛି । ତାମିଲନାଡୁ ଓ କେରଳ ସରକାର ରାଷ୍ଟ୍ରପତିଙ୍କ ଚିଠିର ବୈଧତା ଉପରେ ପ୍ରଶ୍ନ ଉଠାଇ ଏହି ଆବେଦନକୁ ଛଦ୍ମର ରୂପ ଦେଇଛନ୍ତି ।