ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ନିଜ ସମ୍ବୋଧନରେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି । ପିଏମ ମୋଦୀ ଅପରେସନ ସିନ୍ଦୂର ଉପରେ ହେଉଥିବା ମହାବିତର୍କରେ ଶଶି ଥରୁର ଓ ମନୀଷ ତିୱାରୀଙ୍କ ପରି ନେତାଙ୍କୁ ସାମିଲ ହେବା ନେଇ ଅନୁମତି ନ ଦେବା ଉପରେ କଟାକ୍ଷ କରି କହିଛନ୍ତି ଯେ, କଂଗ୍ରେସର ବଡ ନେତାଙ୍କୁ ସମସ୍ୟା ହେଉଛି ଯେ, ଆମ ଦଳର ଏହି ନେତାମାନେ ଭାରତର ପକ୍ଷ ଦୁନିଆ ସାମ୍ନାରେ ରଖିଛନ୍ତି । ପିଏମ ମୋଦୀ ଅପରେସନ ସିନ୍ଦୂର ଉପରେ ପାକିସ୍ତାନ ପୋଲ୍ ଖୋଲିବା ପାଇଁ ବିଦେଶ ପଠାଯାଇଥିବା ପ୍ରତିନିଧିମଣ୍ଡଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସଂସଦରେ ନିଜର ବକ୍ତବ୍ୟ ଶେଷ କରିବା ଠିକ୍ ପୂର୍ବରୁ ପିଏମ ମୋଦୀ କହିଛନ୍ତି, କଂଗ୍ରେସ ପାର୍ଟିର କିଛି ନେତାଙ୍କୁ ଗୃହରେ କହିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ମୋତେ ଏହାକୁ ନେଇ ଦୁଃଖ ଲାଗୁଛି ଏବଂ ଆଶ୍ଚର୍ଯ୍ୟ ବି ଲାଗୁଛି । କଂଗ୍ରେସର ବଡ ନେତା ବୁଝି ପାରୁଛନ୍ତି ଏବଂ ତାଙ୍କ ପେଟ ବ୍ୟଥା ଏଥିପାଇଁ ହେଉଛି ଯେ, ଭାରତର ପକ୍ଷ ଦୁନିଆ ସାମ୍ନାରେ କାହିଁକି ରଖିଲ । ପିଏମ ମୋଦୀ ଏହା ମଧ୍ୟ କହିଛନ୍ତି, ବୋଧହୁଏ କିଛି ନେତାଙ୍କୁ ଗୃହରେ କହିବା ଉପରେ କଟକଣା ଲଗାଇ ଦିଆଯାଇଛି । ଏମିତି ମାନସିକତାରୁ ମୁକୁଳିବାର ଆବଶ୍ୟକତା ରହିଛି । ପିଏମଙ୍କ ଏମିତି ଟିପ୍ପଣୀ ସମୟରେ ଶଶି ଥରୁର ହସୁଥିବା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଓ ମନୀଷ ତିୱାରୀ ଉଭୟ ଭାରତ ସରକାରଙ୍କ ଦ୍ୱାରା ବିଦେଶ ପଠାଯାଇଥିବା ପ୍ରତିନିଧି ମଣ୍ଡଳର ସଦସ୍ୟ ଥିଲେ । ଥରୁର ଅପରେସନ ସିନ୍ଦୂର ଓ ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟ ରଖିବା ପାଇଁ ପଠାଯାଇଥିବା ଅନେକ ପ୍ରତିନିଧିମଣ୍ଡଳରୁ ଗୋଟିଏ ଦଳର ନେତୃତ୍ୱ ନେଇଥିଲେ ଥରୁର । ମନୀଷ ତିୱାରୀ ଏମିତି ଏକ ପ୍ରତିନିଧିମଣ୍ଡଳର ସଦସ୍ୟ ଥିଲେ । ଏହି ଦୁଇ ନେତା ସଂସଦରେ ଅପରେସନ ସିନ୍ଦୂର ଉପରେ ହୋଇଥିବା ମହାବିତର୍କରେ ଯୋଗ ଦେଇ ନାହାନ୍ତି । ଏହା ପରେ କଂଗ୍ରେସ ପାର୍ଟି ସହ ଏହି ଦୁଇ ନେତାଙ୍କ ମତଭେଦ ଖବରକୁ ଆହୁରି ଖୋରାକ ଯୋଗାଇଛି ।