ନୂଆଦିଲ୍ଲୀ: ଚଣ୍ଡିଗଡରେ ବୁଧବାର କେନ୍ଦ୍ରୀୟ ପ୍ରତିନିଧିମଣ୍ଡଳ ସହିତ ବୈଠକ ପରେ ଫେରୁଥିବା ସରବନ ସିଂ ପନ୍ଧେର ଓ ଜଗଜିତ ସିଂ ଡଲେୱାଲ ସହିତ ଅନେକ କୃଷକ ନେତାଙ୍କୁ ମୋହାଲିରେ ଅଟକ ରଖିଛି ପୋଲିସ । ଏହି ସମୟରେ ପଞ୍ଜାବ ପୋଲିସ ପକ୍ଷରୁ ଶମ୍ଭୁ ଓ ଖନୌରୀ ବର୍ଡରରେ ପ୍ରଦର୍ଶନକାରୀ କୃଷକଙ୍କୁ ହଟାଯିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ପୋଲିସ ମଞ୍ଚ ଓ ଟେଣ୍ଟ ଉଖାଡି ଧାରଣା ଦେଉଥିବା କୃଷକକୁ ହଟାଇଛି । କୃଷକଙ୍କ ଧାରଣା ପ୍ରଦର୍ଶନ କାରଣରୁ ଗତ ଏକ ବର୍ଷ ହେବ ଶମ୍ଭୂ ବର୍ଡର ବନ୍ଦ ରହିଥିଲା ।
ପୋଲିସ ଅନେକ ନେତାଙ୍କୁ ନିଜ ହେପାଜତରେ ରଖିଛି । ଏଥିରେ ସରବନ ସିଂ ପନ୍ଧେର ଓ ଜଗଜିତ ସିଂ ଡଲେୱାଲ ମଧ୍ୟ ସାମିଲ । କୃଷକ ନେତା ଗୁରମନୀତ ସିଂ ମଙ୍ଗତ କହିଛନ୍ତି, ଅଭିମନ୍ୟୁ କୋହର, କାକା ସିଂ କୋଟରା ଓ ମନଜିତ ସିଂ ରାୟକୁ ମଧ୍ୟ ପୋଲିସ ଅଟକ ରଖିଛି ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଶମ୍ଭୁ ବର୍ଡର ଓ ଖନୌରୀ ବର୍ଡରରେ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ପ୍ରଦର୍ଶନ ସ୍ଥଳରେ ଆମ୍ବୁଲାନ୍ସ, ବସ୍, ଫାୟର ବ୍ରିଗେଡର ଗାଡିକୁ ପ୍ରସ୍ତୁତ ରଖାଯାଇଛି । ପଟିୟାଲା ରେଞ୍ଜର ଡିଆଇଜି ମନଦୀପ ସିଂ ସନ୍ଧୁଙ୍କ ନେତୃତ୍ୱରେ ପ୍ରାୟ ୩ ହଜାର ଯବାନଙ୍କ ମୁତୟନ କରାଯାଇଛି ।
ପଞ୍ଜାବର ଅର୍ଥ ମନ୍ତ୍ରୀ ହରପାଲ ସିଂ ଚିମା ପୋଲିସର କାର୍ଯ୍ୟାନୁଷ୍ଠାନକୁ ଉଚିତ୍ ବୋଲି କହିଛନ୍ତି । ସେ କହିଛନ୍ତି, ବର୍ଡର ଦୀର୍ଘ ସମୟ ଧରି ବନ୍ଦ ରହିବା କାରଣରୁ ରାଜ୍ୟ ଅର୍ଥବ୍ୟବସ୍ଥାର ବହୁତ କ୍ଷତି ଘଟିଛି । ଦୁଇ ରାଜପଥ ପଞ୍ଜାବର ଜୀବନ ରେଖା । ଏହା ବନ୍ଦ ହେବାରୁ ଶିଳ୍ପ ଓ ଉଦ୍ୟୋଗକୁ ବହୁ କ୍ଷତି ସହିବାକୁ ପଡିଛି । କୃଷକଙ୍କୁ ଦିଲ୍ଲୀ ଯାଇ ପ୍ରଦର୍ଶନ କରିବାର ଥିଲା ବୋଲି ସେ କହିଛନ୍ତି ।
ଅନ୍ୟପଟେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କୃଷକ ନେତା ପଞ୍ଜାବର ଆପ୍ ସରକାର ଧୋକା ଦେଇଥିବା ଅଭିଯୋଗ କରିଛନ୍ତି । କୃଷକଙ୍କ କହିବା କଥା ପଞ୍ଜାବ ସରକାର ଆମକୁ ଭ୍ରମିତ କରିଛି । ଆଲୋଚନାର ପ୍ରତିଶ୍ରୁତି ଦେଇ ଆମରଣ ଅନଶନ ଭାଙ୍ଗିବାକୁ କୁହାଗଲା । ଆଉ ଏବେ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।