ବ୍ରିଟେନ୍: ପଡ଼ୋଶୀ କଙ୍ଗୋ ସଙ୍କଟରେ କିଗାଲିଙ୍କ ଭୂମିକା ଯୋଗୁଁ ରୁୱାଣ୍ଡାକୁ କିଛି ଦ୍ୱିପାକ୍ଷିକ ସହାୟତା ବନ୍ଦ କରିବା ସହ ଏହା ଉପରେ ଅନ୍ୟ କୂଟନୈତିକ ପ୍ରତିବନ୍ଧକ ଲଗାଯିବ ବୋଲି ବ୍ରିଟେନ ମଙ୍ଗଳବାର କହିଛି। ରୱାଣ୍ଡା ଏବେ ବିଶ୍ୱ ଚାପରେ ରହିଛି। ଜାନୁଆରୀ ମାସରୁ ଗୋମା ଓ ବୁକାଭୁ ସହର ସମେତ ପୂର୍ବ କଙ୍ଗୋର ବିଶାଳ ଅଂଶ ଏବଂ ମୂଲ୍ୟବାନ ଖଣିଜ ଭଣ୍ଡାରକୁ ଦଖଲ କରିଥିବା ଏମ୨୩ ଗ୍ରୁପକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। କିଗାଲି ଏହି ଏମ୨୩ ଗୋଷ୍ଠୀକୁ ସମର୍ଥନ କରିବାକୁ ଅସ୍ୱୀକାର କରିଛି କିନ୍ତୁ କହିଛି ଯେ ଏହାର ନିଜ ସୈନିକମାନେ କଙ୍ଗୋରେ ଥିବା ଶତ୍ରୁ ଗୋଷ୍ଠୀଙ୍କ ବିରୋଧରେ ଆତ୍ମରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରିଟିଶ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଶତ୍ରୁତା ଦୂର କରିବାରେ ଉଲ୍ଲେଖନୀୟ ଅଗ୍ରଗତି ନହେବା ପର୍ଯ୍ୟନ୍ତ ଏବଂ କଙ୍ଗୋ ଅଞ୍ଚଳରୁ ସମସ୍ତ ରୱାଣ୍ଡା ପ୍ରତିରକ୍ଷା ବାହିନୀ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ବ୍ରିଟେନ କାର୍ଯ୍ୟାନୁଷ୍ଠାନ ଜାରି ରଖିବ।
ବ୍ରିଟେନ ରୁୱାଣ୍ଡା ସରକାରଙ୍କ ଦ୍ୱାରା ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଉଚ୍ଚସ୍ତରୀୟ ଉପସ୍ଥିତି ବନ୍ଦ କରି, ରୱାଣ୍ଡା ସହିତ ବାଣିଜ୍ୟ ପ୍ରୋତ୍ସାହନ କାର୍ଯ୍ୟକଳାପକୁ ସୀମିତ କରିଛି ଏବଂ ରୁୱାଣ୍ଡା ସରକାରଙ୍କୁ ସିଧାସଳଖ ଦ୍ୱିପାକ୍ଷିକ ଆର୍ଥିକ ସହାୟତାକୁ ସ୍ଥଗିତ ରଖିଛି।
ସମ୍ଭାବ୍ୟ ନୂତନ କଟକଣା ଉପରେ ବ୍ରିଟେନ ଅଂଶୀଦାରମାନଙ୍କ ସହ ସମନ୍ୱୟ ରକ୍ଷା କରିବ, ଭବିଷ୍ୟତରେ ରୁୱାଣ୍ଡାକୁ ପ୍ରତିରକ୍ଷା ପ୍ରଶିକ୍ଷଣ ସହାୟତା ବନ୍ଦ କରିବ ଏବଂ ରୱାଣ୍ଡା ପ୍ରତିରକ୍ଷା ବାହିନୀ ପାଇଁ ରପ୍ତାନି ଲାଇସେନ୍ସର ସମୀକ୍ଷା କରିବ ବୋଲି ବିବୃତିରେ କୁହାଯାଇଛି।
ବ୍ରିଟେନ ସରକାରଙ୍କ ମୁଖପାତ୍ର କହିଛନ୍ତି, ରୁୱାଣ୍ଡାରେ ନିରାପତ୍ତା ସମସ୍ୟା ଥାଇପାରେ, କିନ୍ତୁ ସାମରିକ ଦୃଷ୍ଟିରୁ ଏହାର ସମାଧାନ ଗ୍ରହଣୀୟ ନୁହେଁ। ଏହି ବିବାଦର ଏକମାତ୍ର ସମାଧାନ ରାଜନୈତିକ ହୋଇପାରେ। ପ୍ରବକ୍ତା ଆହୁରି ମଧ୍ୟ କହିଛନ୍ତି, ଆମେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆରସି)କୁ ଏମ୍ ୨୩ ସହ ଆଲୋଚନା କରିବାକୁ ପ୍ରୋତ୍ସାହିତ କରୁଛୁ। ଆମେ ଆମ ନୀତିର ସମୀକ୍ଷା ଜାରି ରଖିବୁ।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ କିଛି ବଡ଼ କରିବାକୁ ପ୍ରସ୍ତୁତ ହେଉଛି ସେନା!