ପୁଣି ଥରେ ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ ଓ ଓଡ଼ିଆ ଝିଅଙ୍କ କଳାକୃତି । ସାରା ଦେଶ ଦେଖିଲା ଓଡ଼ିଆ ଝିଅ ଡକ୍ଟର ସୂର୍ଯ୍ୟସ୍ନାତା ମହାନ୍ତିଙ୍କ ହାତର ଯାଦୁଗରୀ । ଶେଷ ହୋଇଛି ମେରି ମାଟି ମେରା ଦେଶ ଅଭିଯାନ କାର୍ଯ୍ୟକ୍ରମ । ସାରା ଦେଶରୁ ସଂଗ୍ରହ ହୋଇଥିବା ମାଟି ରାଜଧାନୀ ଦିଲ୍ଲୀରେ ପହଞ୍ଚିବା ପରେ ଶେଷ ହୋଇଛି ଅମୃତ କଳସ ଯାତ୍ରା । ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏହି ଯାତ୍ରାର ଉଦଯାପନୀ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି । ଜାତୀୟ ଏକତା ଦିବସରେ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଧାନମନ୍ତ୍ରୀ କଳସରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୀରମାଟି ପକାଇ କାର୍ଯ୍ୟକ୍ରମର ଉଦଯାପନୀ କରିଥିଲେ ।
ତେବେ ଆପଣ ମାନେ ଜାଣିଛନ୍ତି କି ପ୍ରଧାନମନ୍ତ୍ରୀ ହାତରେ ଧରିଥିବା ସେହି ସୁନ୍ଦର ଅମୃତ କଳସ ପ୍ରସ୍ତୁତି ପଛରେ ଥିଲା ଜଣେ ଓଡ଼ିଆ ଝିଅଙ୍କ ହାତର କଳାକୃତି । ଅର୍ଥାତ୍ କଳସରେ ଅଙ୍କା ହୋଇଥିବା କଳାକୃତି ଆଙ୍କିଥିଲେ ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା ମହାନ୍ତି । ଅତି ସୁନ୍ଦର ଭାବରେ ସେ କଳସରେ ଆଙ୍କିଥିଲେ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗର ଚିତ୍ର । ଯାହାକି ଥିଲା ଖୁବ ଆକର୍ଷଣୀୟ ।
ସୂଚନା ରହିଛି ଯେ କଳସ ଯାତ୍ରା ପୂର୍ବରୁ ଅନେକ ଦେଶର ବଛାବଛା ଚିତ୍ରକାର ପ୍ରତିଯୋଗୀ ପ୍ରଦର୍ଶନ କରିଥିଲେ ନିଜର କଳାକୃତି । ହେଲେ ସେମାନଙ୍କ ମଧ୍ୟରୁ ଜିତାପଟ ମାରିଥିଲେ ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା । ଅମୃତ କଳସରେ ଚିତ୍ର ଆଙ୍କିବା ପାଇଁ ତାଙ୍କୁ ମିଳିଥିଲା ସୁଯୋଗ । ଏବେ ତାଙ୍କ କଳାକୃତି ଦେଖିବା ପରେ ସବୁରି ମୁହଁରେ ତାଙ୍କର ପ୍ରଶଂସା ।
ସୂର୍ଯ୍ୟସ୍ନାତା ହେଉଛନ୍ତି ପୂର୍ବତନ ଓଡ଼ିଆ ଶିକ୍ଷାବିତ୍ ବିଜୟ କୁମାର ମହାନ୍ତି ଓ ଶ୍ରୀମତି ରେଣୁବାଳା ମହାନ୍ତିଙ୍କ ଝିଅ । ଭୁବନେଶ୍ଵରରେ ଜନ୍ମିତ ସୂର୍ଯ୍ୟସ୍ନାତା ଷ୍ଟୁଆର୍ଟ ସ୍କୁଲରେ ନିଜର ପ୍ରାରମ୍ଭିକ ଶିକ୍ଷା ଅଧୟନ ପରେ ଜାତୀୟ ଆଇନ ବିଦ୍ୟାଳୟ ବାଙ୍ଗାଲୋରରୁ ଏଲ୍ ଏଲ୍ ଏମ୍ ସମାପ୍ତ କରିଛନ୍ତି । ସେ ଏଲଏଲ ବି ରେ ସ୍ଵର୍ଣ୍ଣ ପଦକ ମଧ୍ୟ ଲାଭ କରିଛନ୍ତି ।
ଏବେ ସେ ଘରୋଇ ବିଶ୍ବବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶିକା ଅଛନ୍ତି । ପେଶାରେ ସିନା ସେ ଶିକ୍ଷକ ହେଲେ ନିଶା ତାଙ୍କର ଚିତ୍ରକଳା । ପେଣ୍ଟିଂ ପ୍ରତି ଥିଲା ପିଲାଟିଦିନରୁ ଥିଲା ଖୁବ ଆଗ୍ରହ । ବିଶେଷକରି ଆକ୍ରିଲିଜ୍ ମିଡିୟମ୍ ସହ ତେଲ, ଜଳ ରଙ୍ଗ ଏବଂ ଚାର୍କେଲ ବ୍ୟବହାର କରି ବିଭିନ୍ନ ଚିତ୍ରକଳା ପ୍ରସ୍ତୁତ କରିଥାନ୍ତି । ଜାତୀୟ ଆଧୁନିକ କଳା ଗ୍ୟାଲେରୀ, ଇଣ୍ଡିଆ ହାବିଟାଟ୍ ସେଣ୍ଟର ଏବଂ ଅନ୍ୟାନ୍ୟ ସମ୍ମାନଜନକ ପ୍ଲାଟଫର୍ମରେ ଥିବା ଅନେକ ଜାତୀୟ ପ୍ରଦର୍ଶନୀରେ ଭାଗ ନେଇ ଦେଖାଇଛନ୍ତି ତାଙ୍କର କଳାକୃତି । ଆଉ ଏବେ ପୁଣିଥରେ ନିଜ ଚିତ୍ରକଳାର କମାଲ ଦେଖାଇଛନ୍ତି ।
ଅଧିକ ପଢନ୍ତୁ ;- ସୁନାର ମାର୍ବଲ ବେଦୀରେ ବିରାଜିବେ ରାମଲାଲା