ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଉଭୟ କଂପାନୀ ମଙ୍ଗଳବାର ଦିନ ପାଇଁ କିଛି ସହରକୁ ଉଡ଼ାଣ ବାତିଲ କରିଛନ୍ତି। ଇଣ୍ଡିଗୋ କହିଛି, ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି, ଚଣ୍ଡିଗଡ଼ ଏବଂ ରାଜକୋଟ ସମେତ କିଛି ସହରକୁ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏୟାର ଇଣ୍ଡିଆ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ବିମାନ ବାତିଲ ସମ୍ପର୍କରେ ଏକ ଅପଡେଟ୍ ଦେଇଛି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଇଣ୍ଡିଗୋ କହିଛି, ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା। ମେ ୧୩ ପାଇଁ ଜମ୍ମୁ, ଅମୃତସର, ଚଣ୍ଡିଗଡ଼, ଲେହ, ଶ୍ରୀନଗର ଏବଂ ରାଜକୋଟରୁ ବିମାନ ଉଡ଼ାଣ ବାତିଲ କରାଯାଇଛି। ଆମେ ବୁଝିପାରୁଛୁ ଯେ ଏହା ଆପଣଙ୍କ ଯାତ୍ରା ଯୋଜନାକୁ ପ୍ରଭାବିତ କରିବ। ଆମ ଦଳ ପରିସ୍ଥିତିକୁ ବହୁତ ଗମ୍ଭୀରତାର ସହ ଦେଖୁଛି। ଖୁବ୍ ଶୀଘ୍ର ଆପଣଙ୍କୁ ଏକ ଅପଡେଟ୍ ଦିଆଯିବ।
ଏୟାର ଇଣ୍ଡିଆ କହିଛି, ରାଜସ୍ଥାନ, ଜମ୍ମୁ କଶ୍ମୀର, ଗୁଜରାଟ ଏବଂ ଅନ୍ୟ କିଛି ରାଜ୍ୟକୁ ଉଡ଼ାଣ ବାତିଲ କରିଛି। ସଦ୍ୟତମ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଏବଂ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ମେ ୧୩ ପାଇଁ ଜମ୍ମୁ, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ଯାଉଥିବା ଏବଂ ଆସୁଥିବା ବିମାନଗୁଡ଼ିକୁ ବାତିଲ କରାଯାଇଛି। ଆମେ ପରିସ୍ଥିତି ଉପରେ ନଜର ରଖୁଛୁ ଏବଂ ଆପଣଙ୍କୁ ଅପଡେଟ୍ ରଖିବୁ।
‘ଅପରେସନ ସିନ୍ଦୁର’ ପରେ ପାକିସ୍ତାନ ଆକ୍ରମଣାତ୍ମକ ହୋଇଗଲା ଏବଂ ଭାରତର ଅନେକ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କଲା। କିନ୍ତୁ ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମସ୍ତ ଆକ୍ରମଣକୁ ବିଫଳ କଲା। ପାକିସ୍ତାନ ସମ୍ପ୍ରତି ଅସ୍ତ୍ରବିରତି ପାଇଁ ରାଜି ହୋଇଛି, କିନ୍ତୁ ଏହା ପରେ ମଧ୍ୟ ଏହାର କାର୍ଯ୍ୟକଳାପ ବନ୍ଦ ହେଉନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ ବାତିଲ କରାଯାଇଛି।
ଅଧିକ ପଢ଼ନ୍ତୁ: ୧୩ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ: ୧୨ ଅଭିଯୁକ୍ତ ଗିରଫ