ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଆତଙ୍କୀ ହମଲା ପରେ ଭାରତ ମେ ୬-୭ ତାରିଖ ରାତିରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା । ଭାରତ ପାକିସ୍ତାନରେ ପଶି ୯ ଆତଙ୍କୀ ଶିବିର ଏପରେ ଏୟାରଷ୍ଟ୍ରାଇକ କରି ଧ୍ୱଂସ କରିଥିଲା । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏହାର ଜବାବରେ ପାକିସ୍ତାନ ମେ ୭ରୁ ୧୦ ତାରିଖ ମଧ୍ୟରେ ଭାରତ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ରରେ ଅନେକ ଥର ହମଲା କରିଥିଲା, ଯାହାର ଉଚିତ୍ ଜବାବ ଦେଇଥିଲା ଭାରତ । ଏହି ସଂଘର୍ଷରେ ଭାରତୀୟ ସେନା ପାକିସ୍ତାନର ୧୧ ଏୟାରବେସ୍ ଉଡାଇ ଦେଇଛନ୍ତି । ଏହି ସବୁ ପରେ ଏବେ ପାକିସ୍ତାନ ସ୍ୱୀକାର କରିଛି ଯେ, ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ସେନାର ୧୧ ଯବାନଙ୍କ ପ୍ରାଣହାନୀ ଘଟିଛି । ୭୮ ଜଣ ଆହତ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୫ ଏୟାରଫୋର୍ସର ଅଧିକାରୀ ବି ସାମିଲ ।
ପାକିସ୍ତାନ କହିଛି ଯେ, ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ଆର୍ମିର ଅବଦୁଲ ରେହମାନ, ଦିଲାୱର ଖାନ, ଇକରାମୁଲ୍ଲା, ଖାଲିଦ, ମହମ୍ମଦ ଅଦିଲ ଅକବର ଓ ନିସାରଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନ ବାୟୁସେନାର ସ୍କ୍ୱାଡ୍ରନ ଲିଡର ଉସମାନ ୟୁସୁଫ, ମୁଖ୍ୟ ଟେକନିସିଆନ ଔରଙ୍ଗଜେବ, ମୁଖ୍ୟ ଟେକନିସିଆନ ନଜୀବ, କର୍ପୋରଲ ଟେକନିସିଆନ ଫାରୁକ ଓ ବରିଷ୍ଠ ଟେକନିସିଆନ ମୁବାଶିରଙ୍କ ମୃତ୍ୟୁ ଘଟିଛି ।
ପାକିସ୍ତାନ ବାୟୁସେନାର ନିହତ ୫ ଅଧିକାରୀ ସିନ୍ଧ ପ୍ରଦେଶର ଜକୋକାବାଦ ଏୟାରବେସରେ ମୁତୟନ ଥିଲେ । ଉସ୍ମାନ ଓ ଏହାର ସାଥୀ ଜେଏଫ-୧୭ରୁ ଭାରତ ବିରୋଧରେ ଉଡାଣ ଭରିବାକୁ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ଭାରତ ଶାହବାଜ ଏୟାରବେସ ଉପରେ ଆକ୍ରମଣ କରିଥିଲା । ଭାରତର ଘନ ଘନ ଆକ୍ରମଣରେ ପାକିସ୍ତାନର ଏମିତି କ୍ଷତି ଘଟିଛି ଯାହାର ଭରଣା କରିବାକୁ ପାକିସ୍ତାନକୁ ଅନେକ ବର୍ଷ ଲାଗିଯିବ ।
ସ୍ଥିତି ଏମିତି ଦୁର୍ବଳ ହୋଇ ପଡିଥିଲା ଯେ, ପାକିସ୍ତାନ ଅସ୍ତ୍ରବିରତି ପାଇଁ ଗୁହାରି କରିଥିଲା । ପଡୋଶୀ ଦେଶ ମେ ୧୦ ଅପରାହ୍ଣ ପ୍ରାୟ ୩ଟା୩୫ରେ ଭାରତୀୟ ସେନାର ଡିଜିଏମଓଙ୍କୁ ଯୋଗାଯୋଗ କରିଥିଲେ । ସେତେବେଳକୁ ଭାରତ ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ବ୍ୟାପକ ମାତ୍ରାରେ ଧ୍ୱଂସ କରି ସାରିଥିଲା । ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ବେଳେ ବେଳେ ଭାରତୀୟ ସୀମାକୁ ଡ୍ରୋନ ଛଡା ଯାଉଛି । ଆଉ ଭାରତୀୟ ସେନା ଏହାର ଉଚିତ୍ ଜବାବ ଦେଇ ମାରି ଖସାଇ ଦେଉଛନ୍ତି ।