ଅହମ୍ମଦାବାଦ: ଗୁଜରାଟର ପାଟନ ଜିଲ୍ଲାରୁ ଏକ ଦୁଃଖଦ ଖବର ଆସିଛି । ଚାଣସ୍ମାର ବଡାବଲୀ ଗାଁରେ ହ୍ରଦରେ ବୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ମହିଳାଙ୍କ ସମେତ ୪ ଜଣ ନାବାଳକ ଓ ନାବାଳିକା ରହିଛନ୍ତି । ମୃତକମାନେ ହେଲେ ପିରୋଜାବାନୁ କଲୁମିୟା ସିପାହୀ (୩୭), ମହିରାବାନୁ କଲୁମିୟା ସିପାହୀ (୯), ଝିଅ ଅବଦୁଲ କାଦିର କଲୁମିୟା ସିପାହୀ (୭), ସିମରନ୍ ଓରଫ୍ ସିମ୍ମୁ ସଲୀମଭାଇ ( ୧୩) ଏବଂ ସୋହିଲ ରହୀମଭାଇ କୁରୈଶୀ (୧୬) । ଛେଳୀ ଚରାଇବାକୁ ଯାଇଥିବାବେଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ସମସ୍ତେ ନିକଟସ୍ଥ ହ୍ରଦ ନିକଟକୁ ଛେଳି ଚରାଇବାକୁ ନେଇକି ଯାଇଥିଲେ । କିନ୍ତୁ ସନ୍ଧ୍ୟା ହୋଇଯିବା ପରେ କେହି ଘରକୁ ଫେରି ନ ଥିଲେ । ପରିବାର ଲୋକଙ୍କର ଚିନ୍ତା ବଢ଼ିବାରୁ ସମସ୍ତେ ଯାଇ ଖୋଜାଖୋଜି କରିଥିଲେ । ହ୍ରଦ ନିକଟରେ ସମସ୍ତଙ୍କର ଚପଲ ଏଣେ ତେଣେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ସମସ୍ତେ ହ୍ରଦରେ ଖୋଜାଖୋଜି କରିବାରୁ ଜଣଙ୍କର ମୃତ ଦେହ ମିଳିଥିଲା । ଏହା ପରେ ଧିରେ ଧିରେ ଅନ୍ୟ ମାନଙ୍କର ମୃତ ଦେହ ମିଳିଥିଲା ।
ଏହି ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏକା ସାଙ୍ଗରେ ୫ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ଜଣେ ପ୍ରଥମେ ବୁଡ଼ି ଯିବା ପରେ ଅନ୍ୟମାନେ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ ପ୍ରକାଶ କରିଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।