ରାଜକୋଟ: ଗୁଜରାଟର ରାଜକୋଟରେ ଟିଆରପି ଗେମ୍ ଜୋନ୍ରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଜଣ ଶିଶୁଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜରାଟ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସଂଘବୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହି ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ଜଣାଇବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଗୁରୁତରମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମିଳିବା ପରେ ଫାୟାର ବ୍ରିଗେଡର ୮ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ ଆହୁରି ଅନେକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଅନୁମାନ କରାଯାଉଛି। କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି, ସେନେଇ ଜଣାପଡ଼ି ନାହିଁ।
ରାଜକୋଟ ପୁଲିସ ଆୟୁକ୍ତ ରାଜୁ ଭାର୍ଗବ କହିଛନ୍ତି, ସନ୍ଧ୍ୟାରେ ଟିଆରପି ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ମିଳିବା ପରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଥିଲା। ଅଗ୍ନିକାଣ୍ଡରେ ୨୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ କିଛି ଶିଶୁ ମଧ୍ୟ ରହିଛନ୍ତି। ସଂପୂର୍ଣ୍ଣ ରୂପେ ଉଦ୍ଧାର କାର୍ଯ୍ୟ ଶେଷ ହେଲା ପରେ ମୃତକଙ୍କ ସଂଖ୍ୟା ଜଣାପଡ଼ିବ ବୋଲି ସେ କହିଛନ୍ତି। ଗେମିଂ ଜୋନ୍ର ମାଲିକ ଯୁବରାଜ ସୋଲଙ୍କୀଙ୍କ ନାମରେ ମାମଲା ରୁଜୁ ହେବ। ଆଗକୁ ମଧ୍ୟ ତଦନ୍ତ ଜାରି ରହିବ।
ମାମଲାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ରାଜକୋଟ ଗେମିଂ ଜୋନରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାରେ ନଗର ନିଗମ ଓ ପ୍ରଶାସନ ତତ୍କାଳ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛି। ଆହତଙ୍କ ଚିକିତ୍ସାକୁ ପ୍ରାଥମିକତା ଦିଆଯାଇଛି। ଏଥି ପାଇଁ ସଂପୃକ୍ତ ବିଭାକୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟ ଅଗ୍ନିଶମ ଅଧିକାରୀ ଆଇବି ଖେର କହିଛନ୍ତି, ଟିଆରପି ଗେମିଂ ଜେନରେ ନିଆଁ ଲାଗିଛି। ଘଟଣାସ୍ଥଳରେ ଫାୟର ବ୍ରିଗେଡର ୮ଟି ଗାଡ଼ି ନିୟୋଜିତ ଥିଲେ। ଗେମିଂ ଜୋନରେ କେତେଲୋକ ଥିଲେ, ସେବାବଦରେ ଆମ ପାଖରେ ତଥ୍ୟ ନାହିଁ।